Home » Blog » ପରୀକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ସମାନ ଯୋଗ୍ୟତା ପାଇଁ ଗୋଟିଏ ପରୀକ୍ଷା!

ପରୀକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ସମାନ ଯୋଗ୍ୟତା ପାଇଁ ଗୋଟିଏ ପରୀକ୍ଷା!

by Lokanath Panigrahi
0 comments

ଭୁବନେଶ୍ୱର, ୨୫/୧୧: ରାଜ୍ୟରେ ସରକାରୀ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର। ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟବସ୍ତୁ ଓ ଦାୟିତ୍ୱ ଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ସାଧାରଣ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବୁଧବାର ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ କେନ୍ଦ୍ରୀୟ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ରଖିଛନ୍ତି। ଏଥିସହ ରାଜ୍ୟରେ ପ୍ରତିବର୍ଷ ନିୟମିତ ଭାବେ ନିଯୁକ୍ତି ପରୀକ୍ଷା ଆୟୋଜନ, ସ୍ୱଚ୍ଛତା ବଜାୟ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ଏକ ନିରପେକ୍ଷ, ବିଶ୍ୱସନୀୟ ଓ ସମୟବଦ୍ଧ ନିଯୁକ୍ତି ବ୍ୟବସ୍ଥା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ତେଣୁ ପରୀକ୍ଷା ଆୟୋଜନଠାରୁ ଆରମ୍ଭ କରି ଫଳାଫଳ ଘୋଷଣା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୃଙ୍ଖଳା ରହିବା ଆବଶ୍ୟକ।

ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ନିଯୁକ୍ତି ସଫଳତା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ୨୦୨୪ ଜୁନ୍‌ରେ ନୂଆ ସରକାର ଦାୟିତ୍ୱ ନେବା ପରଠାରୁ ବିଭିନ୍ନ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ୫୨ ହଜାର ୫୧୪ ଜଣଙ୍କୁ ସରକାରୀ ଚାକିରି ଦିଆଯାଇଥିବା ସେ କହିଛନ୍ତି।

ନିଯୁକ୍ତି ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ରାଜ୍ୟରେ Odisha Public Examinations (Prevention of Unfair Means) Act, 2024 ଲାଗୁ କରାଯାଇଛି। ସେହିପରି ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨ ବର୍ଷକୁ ବୃଦ୍ଧି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆବେଦନ ପାଇଁ ଥିବା ପ୍ରୟାସ ସୀମା ଉଚ୍ଛେଦ ଏବଂ ୟୁନିଫର୍ମଡ୍ ସର୍ଭିସ୍ ପାଇଁ ସ୍ୱତନ୍ତ୍ର ଷ୍ଟାଫ୍ ସିଲେକ୍ସନ୍ କମିଶନ ଗଠନ ଭଳି ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ଏହାବ୍ୟତୀତ ପ୍ରଶାସନିକ ନିୟମ ଓ କାର୍ଯ୍ୟପ୍ରଣାଳୀକୁ ଅଧିକ ସରଳ ଓ ପାରଦର୍ଶୀ କରିବା ପାଇଁ ସରକାର ‘କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍ସ ରିଫର୍ମସ୍’ ଗଠନ କରିଛନ୍ତି।

ସୂଚନାଯୋଗ୍ୟ, ସ୍କୁଲ ବୋର୍ଡ ପରୀକ୍ଷାଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ ପ୍ରବେଶିକା ଓ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ସଂସ୍କାର ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କ ଫୋର୍ସର ସଦସ୍ୟ ତପନ କୁମାର ଡେକା, ଅନୀତା କରୱାଲ, ପ୍ରଫେସର ଭି. କାମକୋଟି ଓ ସାଳିନୀ ମହାଜନ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ପରୀକ୍ଷା ଓ ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ ନିଜ ମତ ରଖିଥିଲେ।

You may also like

Leave a Comment