ରାଜ୍ୟର ଭତ୍ତା ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। ୫ ଲକ୍ଷ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ ନୂଆ ପେନସନ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲେଶ୍ୱରରେ ଆୟୋଜିତ ଜନସଭାରେ ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏଣିକି ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପୂର୍ବରୁ ଜିଲ୍ଲାସ୍ତରରେ ରହିଥିବା କୋଟା ବ୍ୟବସ୍ଥା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେଉଥିଲେ। ଏପରିକି ଜଣେ ହିତାଧିକାରୀଙ୍କ ସ୍ଥାନ ଖାଲି ହେଲେ ଅନ୍ୟ ଜଣଙ୍କୁ ସୁଯୋଗ ମିଳୁଥିଲା। ଏଭଳି ବ୍ୟବସ୍ଥାକୁ ରାଜ୍ୟ ସରକାର ଦୂର କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ଭତ୍ତା ହିତାଧିକାରୀଙ୍କ ସଂଖ୍ୟାରେ ମଧ୍ୟ ହୋଇଛି ବଡ଼ ବୃଦ୍ଧି। ପୂର୍ବରୁ ରାଜ୍ୟରେ ୩୬ ଲକ୍ଷ ୭୫ ହଜାର ଲୋକ ଭତ୍ତା ପାଉଥିବା ବେଳେ ଏବେ ଏହି ସଂଖ୍ୟା ୪୧ ଲକ୍ଷ ୮୦ ହଜାରରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁବିଧାଜନକ କରିବା ପାଇଁ ଶୁଭାରମ୍ଭ ହୋଇଛି ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ ବା UPMP। ଏହି ପୋର୍ଟାଲ୍ ମାଧ୍ୟମରେ ନୂଆ ହିତାଧିକାରୀମାନେ ଭତ୍ତା ପାଇଁ ଆବେଦନ କରିପାରିବେ।
କେବଳ ସେତିକି ନୁହେଁ, ୮୦ ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱୟଂକ୍ରିୟ ଭାବେ ବର୍ଦ୍ଧିତ ଭତ୍ତା ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଏହାଦ୍ୱାରା ବୟସ୍କ, ଅସହାୟ ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଭତ୍ତା ପ୍ରକ୍ରିୟା ଆହୁରି ସହଜ ହେବ ବୋଲି ଆଶା କରାଯାଉଛି।
ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
