ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାରର ଆଉ ଏକ ସେଟ୍ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ଅଳଙ୍କାରଗୁଡ଼ିକରେ ଫାଟ ଓ କ୍ଷୟକ୍ଷତି ଦେଖାଦେଇଥିବାରୁ ନୂଆ ସେଟ୍ ତିଆରି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷର ସୁନାବେଶ ସମୟରେ ନୂଆ ଅଳଙ୍କାରରେ ମହାପ୍ରଭୁଙ୍କୁ ସଜାଇବା ଲକ୍ଷ୍ୟ ରହିଛି।
ନୂଆ ଅଳଙ୍କାର ତିଆରି ପାଇଁ ପ୍ରାୟ ୨୦୮ କେଜି ଶୁଦ୍ଧ ସୁନା ଆବଶ୍ୟକ ହେବ। ଶ୍ରୀହସ୍ତ, ଶ୍ରୀପୟର, ଶ୍ରୀମୁକୁଟ, ଚକ୍ର, ହଳ, ମୂଷଳ ସହ ବିଭିନ୍ନ ପଦକ ଓ ମାଳି ଭଳି ପ୍ରାୟ ୩୦ରୁ ଅଧିକ ପ୍ରକାରର ପାରମ୍ପରିକ ଅଳଙ୍କାର ଏହି ସେଟ୍ରେ ରହିବ। ଅଳଙ୍କାର ତିଆରି ପାଇଁ ଯୋଗ୍ୟ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ଚୟନ କରିବା ପରେ କାର୍ଯ୍ୟ ଆଗକୁ ବଢ଼ିବ।
ଶ୍ରୀମନ୍ଦିରକୁ ଭକ୍ତଙ୍କ ଦାନ ମାଧ୍ୟମରେ ପ୍ରତିବର୍ଷ କିଛି ପରିମାଣର ସୁନା ଓ ରୁପା ମିଳୁଥିବା ତଥ୍ୟ ଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ହୁଣ୍ଡିରୁ ପ୍ରାୟ ୩ କେଜି ୪୪୧ ଗ୍ରାମ ସୁନା ଓ ୩୩ କେଜି ୬୪୮ ଗ୍ରାମ ରୁପା ମିଳିଥିବା ଉଲ୍ଲେଖ ରହିଛି। ୧୯୮୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ହୁଣ୍ଡି ମାଧ୍ୟମରେ ପ୍ରାୟ ୫୮ କେଜି ୩୧୭ ଗ୍ରାମ ସୁନା ମିଳିଥିବା ତଥ୍ୟ ମଧ୍ୟ ଦିଆଯାଇଛି। ୨୦୨୧ରେ ଜଣେ ଭକ୍ତଙ୍କ ପକ୍ଷରୁ ପ୍ରାୟ ୪.୮୫ କେଜି ସୁନା ଓ ୩.୮୭ କେଜି ରୁପାର ଅଳଙ୍କାର ଦାନ କରାଯାଇଥିଲା।
ତେବେ ନୂଆ ସୁନାବେଶ ଅଳଙ୍କାର ପାଇଁ ଆବଶ୍ୟକ ୨୦୮ କେଜି ସୁନା ମଧ୍ୟରୁ ପ୍ରାୟ ୧୪୦ କେଜି ଅତିରିକ୍ତ ଶୁଦ୍ଧ ସୁନା ଆବଶ୍ୟକ ଥିବା ଜଣାପଡ଼ିଛି। ଏଥିପାଇଁ ଦାତା ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା କଥା କୁହାଯାଇଛି।
ଅନ୍ୟପଟେ ଶ୍ରୀମନ୍ଦିରର ସୁନା-ରୁପାର ସଂରକ୍ଷଣ ଓ ପୂର୍ବରୁ ହୋଇଥିବା ବ୍ୟବହାରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଛି ଆଇନଜୀବୀ ରତ୍ନଭଣ୍ଡାରରେ ଦାନରେ ମିଳୁଥିବା ମୂଲ୍ୟବାନ ଧାତୁ ସଂରକ୍ଷଣ ଏବଂ ପୂର୍ବରୁ ଖର୍ଚ୍ଚ ହୋଇଥିବା ସୁନାର ହିସାବ ଯାଞ୍ଚ ଦାବି କରିଛନ୍ତି। ଏହି ଅଭିଯୋଗଗୁଡ଼ିକ ନେଇ ତଦନ୍ତ ଦାବି ମଧ୍ୟ ହୋଇଛି।
