ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଲାଭରୁ ରାଜ୍ୟ ସରକାରଙ୍କୁ ପ୍ରାୟ ୨.୮୮ କୋଟି ଟଙ୍କା ଡିଭିଡେଣ୍ଡ୍ ପ୍ରଦାନ କରାଯାଇଛି। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଓ ନିଗମର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।୨୦୨୩-୨୪ରେ ନିଗମ ପ୍ରାୟ ୧୯.୨୩ କୋଟି ଟଙ୍କା ନିଟ୍ ଲାଭ କରିଥିଲା। ଏହି ଲାଭର ୩୦ ପ୍ରତିଶତ ହିସାବରେ ପ୍ରାୟ ୫.୭୭ କୋଟି ଟଙ୍କା ଡିଭିଡେଣ୍ଡ୍ ଭାବେ ଧାର୍ଯ୍ୟ ହୋଇଥିଲା। ନିଗମର ଦୁଇ ଅଂଶୀଦାର—ଓଡ଼ିଶା ସରକାର ଓ କେନ୍ଦ୍ରୀୟ ଭଣ୍ଡାରଣ ନିଗମ—ସମାନ ଭାଗରେ ଏହି ଡିଭିଡେଣ୍ଡ୍ ପାଇଛନ୍ତି।
ପୂର୍ବବର୍ଷଗୁଡ଼ିକରେ ମଧ୍ୟ ନିଗମ ପକ୍ଷରୁ ଉଭୟ ଅଂଶୀଦାରଙ୍କୁ ନିୟମିତ ଭାବେ ଲାଭାଂଶ ପ୍ରଦାନ କରାଯାଇଛି। ରାଜ୍ୟରେ ଧାନ ଓ ଅନ୍ୟାନ୍ୟ ସାମଗ୍ରୀର ଭଣ୍ଡାରଣ ବ୍ୟବସ୍ଥାରେ ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
୧୯୫୮ରେ ପ୍ରତିଷ୍ଠିତ ଏହି ନିଗମର ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ରହିଛି। ଏହାର ସମୁଦାୟ ଭଣ୍ଡାରଣ କ୍ଷମତା ପ୍ରାୟ ୫.୨୨ ଲକ୍ଷ ମେଟ୍ରିକ୍ ଟନ୍। ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଓ ନିରନ୍ତର ବ୍ୟବସାୟିକ କାର୍ଯ୍ୟକଳାପ ଯୋଗୁଁ ନିଗମ ଲାଭଜନକ ସ୍ଥିତି ବଜାୟ ରଖିଥିବା କୁହାଯାଇଛି।
