Home OdishaUAEରୁ ଓଡ଼ିଶା ପାଇଁ ଖୋଲିଲା ନିବେଶର ବଡ଼ ସମ୍ଭାବନା

UAEରୁ ଓଡ଼ିଶା ପାଇଁ ଖୋଲିଲା ନିବେଶର ବଡ଼ ସମ୍ଭାବନା

by Akshay Maharana
0 comments

୮,୪୧୭ କୋଟିର ପୁଞ୍ଜିନିବେଶ ଆଗ୍ରହ; ୧୪,୩୧୦ ନିଯୁକ୍ତି ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଅଭିଯାନକୁ ବଡ଼ ସଫଳତା, ବିଦେଶୀ ପୁଞ୍ଜିକୁ ଓଡ଼ିଶା ମୁହାଁ କରିବା ଦିଗରେ ରାଜ୍ୟ ସରକାରଙ୍କ ଅଭିଯାନକୁ ମିଳିଛି ବଡ଼ ସଫଳତା। ୟୁଏଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିବେଶକଙ୍କ ସହ ଘନଘନ ଆଲୋଚନାର ଫଳ ସ୍ୱରୂପ ଓଡ଼ିଶା ପାଇଁ ୮,୪୧୭ କୋଟି ଟଙ୍କାର ନିବେଶ ଆଗ୍ରହ ସାମ୍ନାକୁ ଆସିଛି। ଏହି ନିବେଶ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଲେ ୧୪,୩୧୦ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

ଦୁବାଇରେ ଅନୁଷ୍ଠିତ ବିଭିନ୍ନ ବୈଠକ ଓ ନିବେଶକ ସମ୍ମିଳନୀରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ଏହି ଅଭିଯାନରେ ୫ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବାବେଳେ ଆଉ ୮ଟି ସଂସ୍ଥା ପକ୍ଷରୁ ନିବେଶ ପାଇଁ ଆଗ୍ରହ ପ୍ରକାଶ କରାଯାଇଛି।

୫ଟି ଏମଓୟୁ ମାଧ୍ୟମରେ ପ୍ରାୟ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ଆସିବାର ସମ୍ଭାବନା ରହିଛି। ଏଥିରୁ ପ୍ରାୟ ୧୧,୫୦୦ ଲୋକଙ୍କ ପାଇଁ ଚାକିରିର ସୁଯୋଗ ତିଆରି ହୋଇପାରେ। ଏହାଛଡ଼ା ୮ଟି ନିବେଶ ପ୍ରସ୍ତାବର ମୋଟ ମୂଲ୍ୟ ପ୍ରାୟ ୨,୮୧୭ କୋଟି ଟଙ୍କା ହୋଇଥିବାବେଳେ ଏଥିରୁ ଆଉ ୨,୮୧୦ଟି ନିଯୁକ୍ତିର ରାସ୍ତା ଖୋଲିପାରେ।

ଓଡ଼ିଶା ପ୍ରତି ନିବେଶକଙ୍କ ଆଗ୍ରହର ପରିସର ମଧ୍ୟ ବେଶ୍ ବ୍ୟାପକ ରହିଛି। ସୂଚନା ପ୍ରଯୁକ୍ତି, ଲଜିଷ୍ଟିକ୍ସ, ରିଅଲ୍ ଇଷ୍ଟେଟ୍, ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ଆଲୁମିନିୟମ, ଇସ୍ପାତ ଡାଉନଷ୍ଟ୍ରିମ୍, ରେୟାର ଆର୍ଥ୍, ରସାୟନ ଶିଳ୍ପ ଓ ପୁନଃଚକ୍ରଣ ଭଳି କ୍ଷେତ୍ରରେ ପୁଞ୍ଜିନିବେଶର ସମ୍ଭାବନା ଦେଖାଦେଇଛି।

ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ମଧ୍ୟ ଏହି ଅଭିଯାନର ଏକ ପ୍ରମୁଖ ଅଂଶ ଥିଲା। ଦୁଇପକ୍ଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ସହ ଓଡ଼ିଶାରେ ୟୁଏଇର ନିବେଶ ପାଇଁ ଉପଲବ୍ଧ ସୁଯୋଗ ନେଇ ମତବିନିମୟ ହୋଇଥିଲା।

ଦୁବାଇ ଇନଭେଷ୍ଟମେଣ୍ଟ ରୋଡ୍‌ଶୋ’ରେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ପ୍ରାକୃତିକ ସମ୍ପଦ ଓ ବ୍ୟବସାୟ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ରଖାଯାଇଥିଲା। ଓଡ଼ିଶାରେ ଦୀର୍ଘମିଆଦୀ ପ୍ରକଳ୍ପ ସ୍ଥାପନ କରିବାକୁ ୟୁଏଇର ଉଦ୍ୟୋଗୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆଲୁମିନିୟମ ଶିଳ୍ପକୁ ନେଇ ଆୟୋଜିତ ବୈଠକରେ ମୂଲ୍ୟଯୁକ୍ତ ଉତ୍ପାଦନ ଓ ଡାଉନଷ୍ଟ୍ରିମ୍ ଶିଳ୍ପର ବିସ୍ତାର ଉପରେ ଗୁରୁତ୍ୱ ଦିଆଯାଇଛି। ରିସାଇକ୍ଲିଂ ଓ ସମ୍ପଦର ସଠିକ୍ ବ୍ୟବହାରକୁ ନେଇ ମଧ୍ୟ ଆଲୋଚନା ହୋଇଛି।

ଦୁବାଇରେ ଭାରତୀୟ ବ୍ୟବସାୟୀ ଓ ପେଶାଦାରଙ୍କ ସଂଗଠନ ସହ ଆଲୋଚନା କରି ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ବଢ଼ାଇବା ଏବଂ ନୂଆ ବଜାର ସହ ସଂଯୋଗ ସୃଷ୍ଟି ଉପରେ ମଧ୍ୟ ଜୋର ଦିଆଯାଇଛି। ବିଭିନ୍ନ କମ୍ପାନି ସହ ବ୍ୟକ୍ତିଗତ ଓ ଗୋଷ୍ଠୀ ଆଲୋଚନା ମାଧ୍ୟମରେ ନୂଆ ପ୍ରକଳ୍ପ ପାଇଁ ଆଗ୍ରହ ସୃଷ୍ଟି ହୋଇଛି।

ଏବେ ଏହି ନିବେଶ ଆଗ୍ରହକୁ ଶୀଘ୍ର ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିବ। ୟୁଏଇରୁ ଆସିଥିବା ଏହି ବଡ଼ ନିବେଶ ସମ୍ଭାବନା ଓଡ଼ିଶାର ଶିଳ୍ପ ବିକାଶ, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ନୂଆ ଦିଗ ଦେଇପାରେ।

You may also like

Leave a Comment