ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମସ୍ୟାର ସମାଧାନ ଏବଂ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ ଏବେ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ୧୯୭୮ ମସିହାରେ ଏହି ପ୍ରକଳ୍ପର ଯୋଜନା ହୋଇଥିବା ବେଳେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ବିତିଯାଇଛି। କିନ୍ତୁ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ ଇଚ୍ଛା ଡ୍ୟାମ୍ ଏବେ ବି ଅଧାରେ ଅଟକି ରହିଛି।
ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ପ୍ରସ୍ତୁତ ଏହି ବହୁମୁଖୀ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ ସହ ବ୍ୟାପକ ଚାଷଜମିକୁ ଜଳସେଚନ ସୁବିଧା ଦେବା। ଏଥିରେ ଇଚ୍ଛା ଡ୍ୟାମ୍, ଚାଣ୍ଡିଲ ବନ୍ଧ, ଗାଲୁଡିହ ଓ ଖରଖାଇ ବ୍ୟାରେଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମିଲ ରହିଛି। ତେବେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଖରଖାଇ ନଦୀ ଉପରେ ପ୍ରସ୍ତାବିତ ଇଚ୍ଛା ଡ୍ୟାମ୍ର କାମ ଆଗକୁ ବଢ଼ିପାରୁନାହିଁ।
ଡ୍ୟାମ୍ର ମାଟିବନ୍ଧ ଓ ଡାଇକ୍ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ସ୍ପିଲ୍ୱେ ନିର୍ମାଣ ଏଯାଏଁ ଆରମ୍ଭ ହୋଇନାହିଁ। ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ଥଇଥାନ ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ଏହି ପ୍ରକଳ୍ପ ପାଇଁ ବଡ଼ ସମସ୍ୟା ପାଲଟିଛି। ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ହେଲେ ଅନେକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ବିରୋଧ ଜାରି ରହିଛି।
ଏହି ପ୍ରସଙ୍ଗ ଏବେ ବିଧାନସଭାରେ ମଧ୍ୟ ଉଠିଛି। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଇଚ୍ଛା ଡ୍ୟାମ୍ର ନିର୍ମାଣ କାର୍ଯ୍ୟ କାହିଁକି ଅଟକିଛି ଏବଂ ପ୍ରତିବନ୍ଧକ ହଟାଇବାକୁ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ସେନେଇ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କ ପୁନର୍ବାସ ସମସ୍ୟା ଯୋଗୁଁ ଡ୍ୟାମ୍ ନିର୍ମାଣ ଆଗକୁ ବଢ଼ିପାରୁନାହିଁ। ଏହି ମାମଲାକୁ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଆଦିବାସୀ ପରାମର୍ଶଦାତା କମିଟିରେ ଉପସ୍ଥାପନ କରାଯାଇଛି। କମିଟିର ନିଷ୍ପତ୍ତି ଓ ଅନୁମୋଦନ ପରେ ହିଁ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାଇବାର ରାସ୍ତା ଖୋଲିବ।
ଅନ୍ୟପଟେ ଓଡ଼ିଶା ସରକାର ପ୍ରତିବର୍ଷ ହେଉଥିବା ମିଳିତ ବୈଷୟିକ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ତେବେ ପ୍ରଶ୍ନ ହେଉଛି, ଦଶନ୍ଧି ଦଶନ୍ଧି ଧରି ଅପେକ୍ଷା କରିଥିବା ଏହି ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ? କେବେ ମିଳିବ ଚାଷୀଙ୍କୁ ଆଶାନୁରୂପ ଜଳସେଚନ ସୁବିଧା? ଆଉ କେତେଦିନ ବନ୍ୟା ଓ ଜଳାଭାବ ସମସ୍ୟାର ସାମ୍ନା କରିବେ ସୁବର୍ଣ୍ଣରେଖା ଅବବାହିକାର ଲୋକେ? ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ।
