ଭୁବନେଶ୍ୱର, ୨୫/୧୧: ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ଶିକ୍ଷାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସହରାଞ୍ଚଳର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନେକ ସୁଯୋଗ ରହିଥିବା ବେଳେ ଗାଁର ଲୋକଙ୍କ ପାଖରେ ସେତେଟା ବିକଳ୍ପ ନାହିଁ। ତେଣୁ ଗ୍ରାମାଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଦିଗରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ବୁଧବାର ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ରେ ଯୋଗଦେଇ ରାଷ୍ଟ୍ରପତି ଏହି ମତ ରଖିଛନ୍ତି। ଏହି ଅବସରରେ ସମ୍ମିଳନୀର ସ୍ମରଣିକା ‘AUDE SAPERE’ ଉନ୍ମୋଚନ କରାଯାଇଥିଲା। ତିନିଦିନ ଧରି ଚାଲିବାକୁ ଥିବା ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ଦେଶର ଏକ ପୁରାତନ ଓ ପ୍ରତିଷ୍ଠିତ ଅନୁଷ୍ଠାନ। ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନ ଓଡ଼ିଶା ସମେତ ଦେଶବାସୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ହୋମିଓପାଥି ଶିକ୍ଷାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।
କୌଣସି ଅନୁଷ୍ଠାନ କେବଳ ତାହାର ପୁରାତନ ଇତିହାସ କିମ୍ବା ଭିତ୍ତିଭୂମି ପାଇଁ ପରିଚିତ ହୋଇନଥାଏ। ବରଂ ସେଠାରୁ କେତେ ଦକ୍ଷ ବ୍ୟକ୍ତି ସୃଷ୍ଟି ହେଉଛନ୍ତି, ଜ୍ଞାନ ଓ ଗବେଷଣା କ୍ଷେତ୍ରରେ କେତେ ଅବଦାନ ରହୁଛି ଏବଂ ସମାଜକୁ କିପରି ସେବା ମିଳୁଛି, ତାହା ହିଁ ଏକ ଅନୁଷ୍ଠାନର ପ୍ରକୃତ ପରିଚୟ ବୋଲି ରାଷ୍ଟ୍ରପତି ମତ ଦେଇଥିଲେ।
ବୈଜ୍ଞାନିକ ଗବେଷଣା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ହୋମିଓପାଥି ସମେତ ପ୍ରତ୍ୟେକ ଚିକିତ୍ସା ପଦ୍ଧତିରେ ବୈଜ୍ଞାନିକ ଅନୁସନ୍ଧାନ, ପ୍ରମାଣଭିତ୍ତିକ ମୂଲ୍ୟାଙ୍କନ ଓ ରୋଗୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା, ଉପଯୁକ୍ତ କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ।
ଭାରତ ସରକାର ୨୦୧୪ ନଭେମ୍ବରରେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ପାରମ୍ପରିକ ଚିକିତ୍ସା ପଦ୍ଧତିର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଥିବା କଥା ମଧ୍ୟ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ।
ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ି ହେବ ଚିକିତ୍ସା ଶିକ୍ଷା
ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଡିଜିଟାଲ ହେଲଥ୍ ଟେକ୍ନୋଲୋଜି, ଜେନୋମିକ୍ସ ଓ ବିଗ୍ ଡାଟା ଆନାଲିଟିକ୍ସ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷାରେ ନୂଆ ସମ୍ଭାବନା ସୃଷ୍ଟି କରୁଛି। ତେଣୁ ହୋମିଓପାଥିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ଆଧୁନିକ କ୍ଲିନିକାଲ ଭିତ୍ତିଭୂମି ଓ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ବ୍ୟବସ୍ଥା ସହ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।
ଯୁବ ଡାକ୍ତରଙ୍କୁ ଦେଲେ ମନ୍ତ୍ର
ଛାତ୍ରଛାତ୍ରୀ ଓ ଯୁବ ଡାକ୍ତରମାନଙ୍କୁ ଭବିଷ୍ୟତର ନିର୍ମାତା ଭାବେ ଅଭିହିତ କରି ରାଷ୍ଟ୍ରପତି କହିଥିଲେ, ଡାକ୍ତରୀ ବୃତ୍ତିରେ କେବଳ ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ନୁହେଁ। ଏଥିପାଇଁ ବୈଜ୍ଞାନିକ ମନୋଭାବ, ନୈତିକତା, ଶୃଙ୍ଖଳା ଓ ନିରନ୍ତର ଶିଖିବାର ମନୋଭାବ ରହିବା ଜରୁରୀ।
ଯୁବ ଡାକ୍ତରମାନଙ୍କୁ ସେ ତିନୋଟି ପରାମର୍ଶ ଦେଇଥିଲେ। ପ୍ରଥମତଃ, ପ୍ରଶ୍ନ କରିବା ଓ ନୂଆ କଥା ଶିଖିବାର ଅଭ୍ୟାସ ଜାରି ରଖିବା। ଦ୍ୱିତୀୟତଃ, ଗବେଷଣା କରିବାର ସାହସ ସହ ପ୍ରମାଣ ଖୋଜିବାର ଧୈର୍ଯ୍ୟ ରଖିବା। ତୃତୀୟତଃ, ପ୍ରତ୍ୟେକ ରୋଗୀଙ୍କ ପଛରେ ଜଣେ ମଣିଷର ଆଶା ଓ ଆତ୍ମସମ୍ମାନ ରହିଥିବା କଥାକୁ କେବେ ଭୁଲି ନଯିବା।
ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ
ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ପୂରଣରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧନସମ୍ପତ୍ତି, ବଡ଼ ଘର କିମ୍ବା ଅନ୍ୟାନ୍ୟ ସୁବିଧା ଥିଲେ ମଧ୍ୟ ସ୍ୱାସ୍ଥ୍ୟ ଠିକ୍ ନଥିଲେ ସେସବୁର କୌଣସି ମୂଲ୍ୟ ନାହିଁ ବୋଲି ରାଷ୍ଟ୍ରପତି କହିଥିଲେ।
ବିଶେଷକରି ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଗାଁର ଲୋକଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସଚେତନ କରିବା ସହ ଉନ୍ନତ ଶିକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ସମସ୍ତେ ମିଳିତ ଭାବେ କାମ କରିବା ଦରକାର। ଗ୍ରାମାଞ୍ଚଳର ବିକାଶ ହିଁ ରାଜ୍ୟ ଓ ଦେଶର ପ୍ରଗତିକୁ ନୂଆ ଦିଗ ଦେବ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ।
