Home » Blog » ନିମ୍ନମାନର ଔଷଧ ତିଆରି କଲେ ତୁରନ୍ତ ନିଲମ୍ବିତ ହେବ ଲାଇସେନ୍ସ!

ନିମ୍ନମାନର ଔଷଧ ତିଆରି କଲେ ତୁରନ୍ତ ନିଲମ୍ବିତ ହେବ ଲାଇସେନ୍ସ!

by Akshay Maharana
0 comments

ନିମ୍ନମାନର ଔଷଧ ଉତ୍ପାଦନ କରୁଥିବା କମ୍ପାନୀଙ୍କ ବିରୋଧରେ ଏଣିକି ତୁରନ୍ତ ହୋଇପାରିବ କଡ଼ା କାର୍ଯ୍ୟାନୁଷ୍ଠାନ। ଔଷଧର ଗୁଣବତ୍ତାରେ ଗୁରୁତର ତ୍ରୁଟି ଚିହ୍ନଟ ହେଲେ ସମ୍ପୃକ୍ତ ଔଷଧର ଉତ୍ପାଦନ ଲାଇସେନ୍ସ ତୁରନ୍ତ ନିଲମ୍ବନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଆଣିଛନ୍ତି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଔଷଧ ନିୟମ, ୧୯୪୫ରେ ସଂଶୋଧନ ପ୍ରସ୍ତାବ ରଖିଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ଉତ୍ପାଦନ ଲାଇସେନ୍ସ ନିଲମ୍ବନ କିମ୍ବା ବାତିଲ ପୂର୍ବରୁ କାରଣ ଦର୍ଶାଅ ନୋଟିସ ସମେତ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ୁଛି। ଫଳରେ ନିମ୍ନମାନର ଔଷଧ ଚିହ୍ନଟ ହେବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟରେ ବିଳମ୍ବ ହେଉଛି। ଏହି ସମୟରେ ସମ୍ପୃକ୍ତ ଔଷଧ ବଜାରରେ ଉପଲବ୍ଧ ରହିବାର ଆଶଙ୍କା ଥିବାରୁ ରୋଗୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନୂଆ ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି।

ପ୍ରସ୍ତାବ ଅନୁସାରେ, ସରକାରୀ ବିଶ୍ଳେଷକଙ୍କ ରିପୋର୍ଟରେ କୌଣସି ଔଷଧ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ଗୁଣବତ୍ତା ମାନଦଣ୍ଡ ପୂରଣ କରୁନଥିବା ଜଣାପଡ଼ିଲେ କେନ୍ଦ୍ରୀୟ କିମ୍ବା ସମ୍ପୃକ୍ତ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷ ତୁରନ୍ତ ଉତ୍ପାଦନ ଲାଇସେନ୍ସ ନିଲମ୍ବନ କରିପାରିବେ। ଔଷଧର ନିର୍ଦ୍ଧାରିତ ସକ୍ରିୟ ଉପାଦାନର ପରିମାଣ, ଶରୀରରେ ଔଷଧ ଦ୍ରବୀଭୂତ ହେବାର କ୍ଷମତା, ଅଶୁଦ୍ଧି ଓ ଜୀବାଣୁମୁକ୍ତତା ଭଳି ମାନଦଣ୍ଡକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

ତେବେ ଲାଇସେନ୍ସ ପୁନଃ କାର୍ଯ୍ୟକ୍ଷମ କରିବା ମଧ୍ୟ ସହଜ ହେବନାହିଁ। ସମ୍ପୃକ୍ତ କମ୍ପାନୀକୁ ପ୍ରଥମେ ଗୁଣବତ୍ତାରେ ତ୍ରୁଟିର ମୂଳ କାରଣ ଚିହ୍ନଟ କରିବା ସହ ସଂଶୋଧନମୂଳକ ଓ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଲାଇସେନ୍ସ କର୍ତ୍ତୃପକ୍ଷ ଏସବୁ ପଦକ୍ଷେପ ଯାଞ୍ଚ କରି ସନ୍ତୁଷ୍ଟ ହେବା ପରେ ହିଁ ନିଲମ୍ବନ ପ୍ରତ୍ୟାହାର ହୋଇପାରିବ।

ଏଥିସହ ନିମ୍ନମାନର ଔଷଧ ସମ୍ପର୍କିତ ପରୀକ୍ଷା ରିପୋର୍ଟ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (DCGI), ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ କର୍ତ୍ତୃପକ୍ଷ ଏବଂ ଔଷଧ ଉତ୍ପାଦନକାରୀ ଓ ବିପଣନକାରୀଙ୍କ ସହ ଅଂଶୀଦାର କରାଯିବ।

ଏହି ଚିଠା ସଂଶୋଧନ ଉପରେ ସାଧାରଣ ଲୋକ ଓ ସମ୍ପୃକ୍ତ ପକ୍ଷଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। ଗେଜେଟ୍ ବିଜ୍ଞପ୍ତିର ନକଲ ଉପଲବ୍ଧ ହେବା ତାରିଖଠାରୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ଦାଖଲ କରାଯାଇପାରିବ। ପ୍ରସ୍ତାବିତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ନିମ୍ନମାନର ଔଷଧ ବିରୋଧରେ ଶୀଘ୍ର ପଦକ୍ଷେପ ଗ୍ରହଣ ସହ ରୋଗୀଙ୍କ ସୁରକ୍ଷା ସୁଦୃଢ଼ ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

You may also like

Leave a Comment