ପୁଣିଥରେ ଇସ୍କନ (ISKCON) ଆୟୋଜିତ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି। କାନାଡାର ଟୋରୋଣ୍ଟୋ ସହରରେ ଜୁଲାଇ ୧୧ ଓ ୧୨ ତାରିଖରେ ଦୁଇ ଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିବାବେଳେ ଏହାକୁ ନେଇ ଅନେକ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ଜୁଲାଇ ୧୬ ତାରିଖରେ ହେବାକୁ ଥିବାବେଳେ ତା’ପୂର୍ବରୁ ଟୋରୋଣ୍ଟୋରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହା ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ ନୀତିକାନ୍ତି ଓ ପଞ୍ଜିକା ଅନୁସାରେ ନୁହେଁ ବୋଲି ଅଭିଯୋଗ ହୋଇଛି।
ଏହି କାର୍ଯ୍ୟକ୍ରମରେ କାନାଡାସ୍ଥିତ ଭାରତୀୟ ଦୂତାବାସର କିଛି ଅଧିକାରୀଙ୍କ ଯୋଗଦାନ ବିବାଦକୁ ଆହୁରି ବଢ଼ାଇଛି। ଏହାକୁ ନେଇ ପଦ୍ମଶ୍ରୀ ପୁରସ୍କାର ବିଜେତା ଓ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ, ରଥଯାତ୍ରା ଶ୍ରୀମନ୍ଦିରର ପରମ୍ପରା, ନୀତି ଓ ଧାର୍ମିକ ବିଧିବିଧାନ ଅନୁଯାୟୀ ହେବା ଉଚିତ। ବାରମ୍ବାର ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନ କରିବା ଦ୍ୱାରା ଶ୍ରୀମନ୍ଦିରର ଦୀର୍ଘଦିନର ପରମ୍ପରାକୁ ଅଣଦେଖା କରାଯାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଏହା ପୂର୍ବରୁ କେନିଆରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରା ଆୟୋଜନ ହୋଇଥିଲା। ସେତେବେଳେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ବର୍ତ୍ତମାନ ଟୋରୋଣ୍ଟୋରେ ହୋଇଥିବା ରଥଯାତ୍ରାରେ ଭାରତୀୟ ହାଇକମିଶନର ଅଂଶଗ୍ରହଣ ଓ ସେ ସମ୍ପର୍କିତ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ସେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ପୁଣିଥରେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏପରି ଘଟଣା ଅନେକ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ସେ କହିଛନ୍ତି। ଭବିଷ୍ୟତରେ ଭାରତୀୟ ଦୂତାବାସ ଓ ହାଇକମିଶନଗୁଡ଼ିକ ଏପରି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଏହି ଘଟଣା ପରେ ବିଦେଶରେ ଆୟୋଜିତ ରଥଯାତ୍ରା ପୁରୀ ଶ୍ରୀମନ୍ଦିରର ପାରମ୍ପରିକ ସମୟସୂଚୀ ଅନୁଯାୟୀ ହେବା ଉଚିତ କି ନାହିଁ, ତାହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
