କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାହାବଲପୁର ଗାଁର ଜଣେ ୫ ବର୍ଷର ଶିଶୁର ମଙ୍ଗଳବାର ରାତିରେ କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାୟ ତିନି ସପ୍ତାହ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶିଶୁଟି ଆଖି ବୁଜିଛି।
ସୂଚନା ଅନୁସାରେ, ଗତ ମେ ୨୨ ତାରିଖରେ ଏକ ବିଷକ୍ରିୟା ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ପ୍ରଥମେ ତାକୁ ସାଲେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଡ଼ୋଶୀମାନେ ଶିଶୁଟିକୁ ବିଷ ମିଶା ମିଠା ଓ କୋଲ୍ଡ ଡ୍ରିଙ୍କ୍ ଖୁଆଇଥିଲେ। ଏହି ଘଟଣାରେ ପରିବାର ପକ୍ଷରୁ ସାଲେପୁର ଥାନାରେ ପାଞ୍ଚ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଶିଶୁଟି ଶିଶୁ ଭବନରେ ପହଞ୍ଚିବା ବେଳକୁ ବିଷ ତା’ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିସାରିଥିଲା। କିଡନୀ, ଫୁସଫୁସ ଓ ଅନ୍ୟାନ୍ୟ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥିବାରୁ ତାକୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା।
କିଛି ଦିନ ଧରି ତା’ ସ୍ୱାସ୍ଥ୍ୟରେ ସୁଧାର ଦେଖାଯାଇଥିଲା। ପରେ ତାକୁ ଜେନେରାଲ ଆଇସିୟୁ ଏବଂ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମଙ୍ଗଳବାର ରାତିରେ ହଠାତ୍ ତା’ ଅବସ୍ଥା ପୁଣି ଖରାପ ହୋଇଯାଇଥିଲା। ଇକୋ ପରୀକ୍ଷା ପରେ ହୃଦସ୍ପନ୍ଦନ ଅତ୍ୟନ୍ତ କମିଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।
ପରିବାର ପକ୍ଷରୁ ଦାବି କରାଯାଇଛି ଯେ ପୁରୁଣା ଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥାଇପାରେ।
ଅଭିଯୋଗ ଅନୁସାରେ, ମେ ୨୨ ତାରିଖରେ ପ୍ରଶାନ୍ତ କୁମାର ଦାସ ଓ ଲିପି ଦାସ ଶିଶୁଟିକୁ ନିଜ ଘରକୁ ଡାକି ମିଠା ଏବଂ କୋଲ୍ଡ ଡ୍ରିଙ୍କ୍ ଦେଇଥିଲେ। ଏହା ପରେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ପରିବାରର ଦାବି ଅନୁସାରେ, ଘଟଣା ଦିନ ଏକ ଭିଡିଓ ମଧ୍ୟ ରେକର୍ଡ ହୋଇଥିଲା, ଯେଉଁଥିରେ ଶିଶୁଟି ବିଷ ମିଶା ଖାଦ୍ୟ ଓ ପାନୀୟ ଦିଆଯାଇଥିବା କଥା କହିଥିବା ଅଭିଯୋଗ ରହିଛି।
ଶିଶୁର ବାପା ରୋହିତ ମଲ୍ଲିକ କହିଛନ୍ତି ଯେ ଘଟଣା ଦିନ ସକାଳେ ତାଙ୍କ ପୁଅ ଘର ବାହାରେ ଖେଳୁଥିଲା। ସେହି ସମୟରେ ପଡ଼ୋଶୀ ଘରକୁ ଡାକି ତାକୁ କିଛି ଖାଇବାକୁ ଦିଆଯାଇଥିଲା। ଏହା ପରେ ତା’ ଦେହ ଖରାପ ହୋଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ।
ପରିବାର ପକ୍ଷରୁ ବାବୁ ଦାସ, ଜମୁନା ଦାସ ଓ ପବିତ୍ର ଦାସଙ୍କ ସମେତ ପାଞ୍ଚ ଜଣଙ୍କ ନାମ ଲିଖିତ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ଅଭିଯୋଗ, ଥାନାରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା କିମ୍ବା ତଦନ୍ତ କରାଯାଇ ନାହିଁ।
ଶିଶୁର ମୃତ୍ୟୁ ପରେ ପରିବାର ଲୋକ ତୁରନ୍ତ ଦୋଷୀଙ୍କ ଗିରଫ ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୋଲିସ ଅଭିଯୋଗ ରୁଜୁ କରିଥିବା ବେଳେ ଶିଶୁର ମୃତ୍ୟୁ ପରେ ତଦନ୍ତ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
