Home Featuredସାଇବର ଠକେଇ ମାମଲାରେ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥା

ସାଇବର ଠକେଇ ମାମଲାରେ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥା

by Lokanath Panigrahi
0 comments

କଟକ: ସାଇବର ଆର୍ଥିକ ଠକେଇର ବଢ଼ୁଥିବା ଘଟଣାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ଆଉ ଏକ ଆଧୁନିକ ଓ ପ୍ରଯୁକ୍ତିନିର୍ଭର ପଦକ୍ଷେପ ନେଇଛି। ଏବେ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଗୁରୁତର ଅଭିଯୋଗର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ରାଜ୍ୟରେ ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହି ନୂତନ ସେବାକୁ ଉଦ୍‌ଘାଟନ କରିଥିଲେ।

ସାଇବର ଅପରାଧର ଦ୍ରୁତ ବୃଦ୍ଧିକୁ ଦେଖି ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ତ୍ୱରିତ, ସରଳ ଏବଂ ପ୍ରଭାବଶାଳୀ କରିବା ସହ ପୀଡ଼ିତଙ୍କ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ବଢ଼ାଇବା ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ। ଏହା ମାଧ୍ୟମରେ ନାଗରିକଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନମୁଖୀ ପୋଲିସ ସେବା ମିଳିପାରିବ ବୋଲି ପୋଲିସ ବିଶ୍ୱାସ କରୁଛି।

ନୂତନ ବ୍ୟବସ୍ଥା ଅନୁଯାୟୀ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ ଯଦି ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ରେ ପଞ୍ଜୀକୃତ ହୁଏ, ତେବେ ତାହା CCTNS ସିଷ୍ଟମ୍‌ରେ ସ୍ୱୟଂଚାଳିତ ଭାବେ e-Zero FIR ଭାବେ ସୃଷ୍ଟି ହୋଇ ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ। ଏହି ପ୍ରକ୍ରିୟାକୁ ସମ୍ଭବ କରିବା ପାଇଁ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍‌କୁ CCTNS ସହ ସଂଯୋଗ କରିଛି।

ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍‌ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ଆବଶ୍ୟକ ହେଲେ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର କରାଯିବ, କିମ୍ବା ପୂର୍ବରୁ ରହିଥିବା ମାମଲା ସହ ଯୋଡ଼ାଯିବ। ଯଦି ଅଭିଯୋଗ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରେ, ତେବେ ତାହାକୁ ବନ୍ଦ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

ଏହି ବ୍ୟବସ୍ଥା ଫଳରେ ମାମଲା ପଞ୍ଜୀକରଣ, ସୂଚନା ଆଦାନ-ପ୍ରଦାନ ଓ ତଦନ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ। ସେହିପରି ଅଭିଯୋଗକାରୀମାନେ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ।

ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଦକ୍ଷ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନ କରି ତୁରନ୍ତ ୧୯୩୦ ହେଲ୍ପଲାଇନ୍‌ରେ ଅଭିଯୋଗ କରନ୍ତୁ। ଶୀଘ୍ର ଅଭିଯୋଗ କଲେ ପୋଲିସ ତତ୍କାଳ ପଦକ୍ଷେପ ନେଇ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ବଢ଼ାଇପାରିବ।

ପୋଲିସର ମତରେ, ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥା ଓଡ଼ିଶାରେ ପ୍ରଯୁକ୍ତିନିର୍ଭର ଓ ଆଧୁନିକ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ସାଇବର ଅପରାଧ ମୁକାବିଲା ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ସହାୟକ ସାବ୍ୟସ୍ତ ହେବ।

You may also like

Leave a Comment