ପାଟନା: ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଉପହାର। ଶନିବାର ପ୍ରଧାନମନ୍ତ୍ରୀ ବିହାରର ରାଘୋପୁରଠାରେ ବହୁପ୍ରତୀକ୍ଷିତ ନୀତୀଶ ସେତୁର ଉଦ୍ଘାଟନ କରିଛନ୍ତି। ଗଙ୍ଗା ନଦୀ ଉପରେ ନିର୍ମିତ ଏହି ବିଶାଳ ସେତୁ ବିହାରର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମରେ ନାମିତ ଏହି ସେତୁ ଉଦ୍ଘାଟନ ପୂର୍ବରୁ ବିବାଦ ଘେରକୁ ଆସିଥିଲା।
ପ୍ରାୟ ୪ ହଜାର ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ସେତୁର ଲମ୍ବ ୯.୭୬ କିଲୋମିଟର। ପାଟନାର କାଚ୍ଚି ଦରଘାରୁ ରାଘୋପୁର ଦେଇ ବୈଶାଳୀ ଜିଲ୍ଲାର ବିଦୁପୁରକୁ ସଂଯୋଗ କରୁଛି ଏହି ସେତୁ। ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ସେତୁ ଉପରେ କିଛି ସମୟ ଅଟକି ଏହାର ସୌନ୍ଦର୍ଯ୍ୟ ଦେଖିବା ସହ ଗାମୁଛା ହଲାଇ ଉପସ୍ଥିତ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ସୟଦ ଅତା ହସନେନ୍, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେତୁ ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀ ବୈଶାଳୀ ଜିଲ୍ଲାର ରାଜାପାକର ଅନ୍ତର୍ଗତ ଜାଫରପଟ୍ଟି ଗ୍ରାମରେ ଆୟୋଜିତ ଏକ ବିଶାଳ ଜନସଭାରେ ଯୋଗ ଦେଇଥିଲେ।
ଏହା ପୂର୍ବରୁ ପାଟନା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ବିହାର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କେବଳ ନୀତୀଶ ସେତୁ ନୁହେଁ, ବରଂ ରାଜ୍ୟର ବିକାଶ ସହ ଜଡ଼ିତ ଏକାଧିକ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି।
ସଡ଼କ ଯୋଗାଯୋଗ, ବିଦ୍ୟୁତ୍, ସହରାଞ୍ଚଳ ଭିତ୍ତିଭୂମି, ଜଳସମ୍ପଦ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଲୋକାର୍ପିତ କରାଯାଇଛି। ଏଥିସହ ବିହାରରେ ପରିବେଶ ଅନୁକୂଳ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ୧୦୦ଟି ପିଏମ୍ ଇ-ବସ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ନୂଆ ସେତୁ ଦ୍ୱାରା ପାଟନା ଓ ବୈଶାଳୀ ମଧ୍ୟରେ ଯାତାୟାତ ଅଧିକ ସୁଗମ ହେବା ସହ ସ୍ଥାନୀୟ ଅଞ୍ଚଳର ବ୍ୟବସାୟ, ପରିବହନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ଗତି ମିଳିବ ବୋଲି ଆଶା କରାଯାଉଛି।
