Home Featuredପାରଳାଖେମୁଣ୍ଡି ରେଳ ଷ୍ଟେସନର ନୂଆ ରୂପ; ଅମୃତ ଭାରତ ଯୋଜନାରେ ନିର୍ମିତ ଷ୍ଟେସନକୁ ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନୂଆ ରୂପ; ଅମୃତ ଭାରତ ଯୋଜନାରେ ନିର୍ମିତ ଷ୍ଟେସନକୁ ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

by Lokanath Panigrahi
0 comments

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାଇଁ ଏକ ଐତିହାସିକ ଦିନ ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ପୁନର୍ବିକଶିତ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଲୋକାର୍ପଣ ଆସନ୍ତା ୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ କରିବେ। ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯାଇଥିବାବେଳେ, ଏହା ଏବେ ଦକ୍ଷିଣ ଓଡ଼ିଶାର ଏକ ଆକର୍ଷଣୀୟ ରେଳ କେନ୍ଦ୍ରରେ ପରିଣତ ହୋଇଛି।

ନବନିର୍ମିତ ଷ୍ଟେସନର ସ୍ଥାପତ୍ୟରେ ପାରଳାଖେମୁଣ୍ଡିର ଐତିହ୍ୟ ଓ ସଂସ୍କୃତିର ସୁନ୍ଦର ଝଲକ ଦେଖିବାକୁ ମିଳୁଛି। ଷ୍ଟେସନ ଭବନକୁ ଗଜପତି ରାଜପ୍ରାସାଦର ଶୈଳୀରେ ନିର୍ମାଣ କରାଯାଇଥିବାବେଳେ ଭିତରେ ସ୍ଥାନୀୟ କଳା, ପରମ୍ପରା ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ସ୍ଥାନ ଦିଆଯାଇଛି।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଷ୍ଟେସନରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍, ଉନ୍ନତ ପ୍ଲାଟଫର୍ମ ଶେଡ୍, ପ୍ରଶସ୍ତ ଅପେକ୍ଷାଗୃହ, ଖାଦ୍ୟପେୟ କେନ୍ଦ୍ର, ଡିଜିଟାଲ୍ ଟ୍ରେନ୍ ସୂଚନା ବୋର୍ଡ, ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଓ ଅଗ୍ନିନିର୍ବାପଣ ସୁବିଧା ସ୍ଥାପନ କରାଯାଇଛି। ସେହିପରି ସ୍ଥାନୀୟ ଉତ୍ପାଦର ପ୍ରଚାର ପାଇଁ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରୋଡକ୍ଟ’ ଷ୍ଟଲ୍‌ ମଧ୍ୟ ଆରମ୍ଭ କରାଯାଇଛି।

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଷ୍ଟେସନକୁ ସମ୍ପୂର୍ଣ୍ଣ ସୁଗମ କରାଯାଇଛି। ଲିଫ୍ଟ, ବ୍ରେଲି ସାଇନେଜ୍, ସ୍ୱତନ୍ତ୍ର ଶୌଚାଳୟ ଏବଂ ସୁବିଧାଜନକ ଟିକେଟ୍ କାଉଣ୍ଟର ଭଳି ବ୍ୟବସ୍ଥା ଏଥିରେ ସାମିଲ ରହିଛି। ପରିବେଶ ଅନୁକୂଳ ବ୍ୟବସ୍ଥା ଭାବେ ସୌର ଶକ୍ତିର ବ୍ୟବହାର ଓ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ମଧ୍ୟ ଷ୍ଟେସନରେ ଲାଗୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୫୯ଟି ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନର୍ବିକାଶ ପାଇଁ ଚୟନ ହୋଇଥିବାବେଳେ ପାରଳାଖେମୁଣ୍ଡି ଷ୍ଟେସନ ସେଥିରେ ଅନ୍ୟତମ। ୧୭ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ପରେ ଏହି ଷ୍ଟେସନ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି।

You may also like

Leave a Comment