Home Featuredଗୁରେଇ ବନ୍ଧରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଗୁରେଇ ବନ୍ଧରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

by Gulshan Pandey
0 comments

ଖୋର୍ଦ୍ଧା ଜିଲ୍ଲାର ଶାଳିଆ ନଦୀର ଗୁରେଇ ବନ୍ଧରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ବାଣପୁର ବ୍ଲକ ଅଧୀନ ସାଲୁଣୀ ଗାଁର ଚନ୍ଦନ ପ୍ରଧାନ।

ସୂଚନା ଅନୁସାରେ, ଶୁକ୍ରବାର ଚନ୍ଦନ ମାଲିଗୋବିନ୍ଦପୁର ନିକଟସ୍ଥ ଶାଳିଆ ନଦୀର ଗୁରେଇ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ସାରା ଦିନ ଖୋଜାଖୋଜି ପରେ ମଧ୍ୟ ଚନ୍ଦନଙ୍କ କୌଣସି ଖବର ମିଳିନଥିଲା।

ଶନିବାର ସକାଳେ ଅଗ୍ନିଶମ ବାହିନୀ ଟିମ୍ ଗୁରେଇ ବନ୍ଧରୁ ଚନ୍ଦନଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ମୃତଦେହ ଉଦ୍ଧାର ପରେ ଚନ୍ଦନଙ୍କ ପରିବାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଚନ୍ଦନଙ୍କ ବାପା ଦିଲୀପ କୁମାର ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ଦୁଇ ଜଣ ଭାଇ ତାଙ୍କ ପୁଅକୁ ଡାକି ନେଇଥିଲେ ଏବଂ ମାଡ଼ ମାରି ହତ୍ୟା କରିଥିଲେ। ପୂର୍ବରୁ କିଛି ବଚସାକୁ ନେଇ ଏହି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏକ ବୈଜ୍ଞାନିକ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛି।

ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳକଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ରହିଛି ଏବଂ ପରିବାର ଆଣିଥିବା ହତ୍ୟା ଅଭିଯୋଗରେ କେତେ ସତ୍ୟତା ରହିଛି, ସେନେଇ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।

ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫରେନସିକ ଯାଞ୍ଚ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

You may also like

Leave a Comment