Home Odishaସ୍କୁଲ ପାଠ୍ୟପୁସ୍ତକ ତୃଟି ଘଟଣା : ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ

ସ୍କୁଲ ପାଠ୍ୟପୁସ୍ତକ ତୃଟି ଘଟଣା : ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ

by Gulshan Pandey
0 comments

ଭୁବନେଶ୍ୱର, ୧୮ ଜୁନ:
ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବ୍ୟାପକ ମୁଦ୍ରଣ ଓ ତଥ୍ୟଗତ ତୃଟିର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ତିନି ସଦସ୍ୟିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଗତକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି କମିଟିର ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ସ୍ମିତା ପାଣି।

କମିଟି ପାଠ୍ୟପୁସ୍ତକରେ ଘଟିଥିବା ତ୍ରୁଟିଗୁଡ଼ିକର ବିସ୍ତୃତ ତଦନ୍ତ କରିବ। କେଉଁ ସ୍ତରରେ ଏହି ତ୍ରୁଟି ହୋଇଛି, ଏଥିପାଇଁ କେଉଁ ଅଧିକାରୀ, ସଂସ୍ଥା କିମ୍ବା ସମ୍ପୃକ୍ତ ବ୍ୟକ୍ତି ଦାୟୀ, ସେ ସମ୍ପର୍କରେ କମିଟି ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ସାତ ଦିନ ମଧ୍ୟରେ ତଦନ୍ତ ସମାପ୍ତ କରି ରିପୋର୍ଟ ଦେବାକୁ କମିଟିକୁ ସମୟସୀମା ନିର୍ଦ୍ଧାରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ଚିହ୍ନଟ ହୋଇଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

ଘଟଣାକୁ ଗୁରୁତର ଭାବେ ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ। ସେ ପାଠ୍ୟପୁସ୍ତକର ସମସ୍ତ ତ୍ରୁଟିକୁ ତୁରନ୍ତ ସଂଶୋଧନ କରିବା ସହ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭବିଷ୍ୟତରେ ଏଭଳି ତ୍ରୁଟି ନ ଘଟିବା ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

You may also like

Leave a Comment