ଅପରିହାର୍ଯ୍ୟ କାରଣ ଦର୍ଶାଇ ଦୁଇଦିନିଆ କାର୍ଯ୍ୟକ୍ରମ ସ୍ଥଗିତ
ରାୟପୁର: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ ଅଚାନକ ସ୍ଥଗିତ ହୋଇଛି। ଅକ୍ଟୋବର ୭ ଓ ୮ ତାରିଖରେ CECଙ୍କ ସହ ନିର୍ବାଚନ କମିଶନରଙ୍କ ଏକ ଟିମ୍ ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ‘ଅପରିହାର୍ଯ୍ୟ କାରଣ’ ଦର୍ଶାଇ ଏହି ଗସ୍ତକୁ ଏବେ ସ୍ଥଗିତ କରାଯାଇଛି। ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।
ପ୍ରସ୍ତାବିତ ଗସ୍ତ ସମୟରେ CEC ଜ୍ଞାନେଶ କୁମାର ଓ ବରିଷ୍ଠ ନିର୍ବାଚନ ଅଧିକାରୀମାନେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗସ୍ତ କରିବାର ଥିଲା। ଦନ୍ତେୱାଡ଼ା, ବସ୍ତର ଓ କବର୍ଦ୍ଧା ଭଳି ଅଞ୍ଚଳ ପରିଦର୍ଶନ ସହ ସ୍ଥାନୀୟ ନିର୍ବାଚନ ବ୍ୟବସ୍ଥା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିଲା।
CECଙ୍କ ଗସ୍ତକୁ ନେଇ ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତାଙ୍କୁ ‘ରାଜ୍ୟ ଅତିଥି’ ମାନ୍ୟତା ଦିଆଯାଇଥିବା ବେଳେ ସୁରକ୍ଷା, ପ୍ରୋଟୋକଲ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରହିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଗସ୍ତ ସ୍ଥଗିତ ହେବାରୁ ଏବେ ନୂଆ କାର୍ଯ୍ୟସୂଚୀକୁ ଅପେକ୍ଷା କରାଯାଉଛି।
ଏପଟେ CECଙ୍କ ଗସ୍ତ ସ୍ଥଗିତ ହେବା ଏପରି ଏକ ସମୟରେ ଘଟିଛି, ଯେତେବେଳେ ନିର୍ବାଚନ କମିଶନର ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ନେଇ ବିବାଦ ଚର୍ଚ୍ଚାରେ ରହିଛି। ଅଭିଯୋଗକାରୀଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ତିନିଜଣିଆ ନିର୍ବାଚନ କମିଶନରେ CEC ଜ୍ଞାନେଶ କୁମାର କେତେକ ପ୍ରସଙ୍ଗରେ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀଙ୍କ ମତଭେଦ ସତ୍ତ୍ୱେ ନିଷ୍ପତ୍ତି ନେଇଥିଲେ।
ଆବେଦନକାରୀଙ୍କ ଅନୁସାରେ, ଅକ୍ଟୋବର ୨୦୨୫ରୁ ଅଗଷ୍ଟ ୨୦୨୬ ମଧ୍ୟରେ ଅନ୍ୟ ଦୁଇ ନିର୍ବାଚନ କମିଶନର ଅନେକ ଥର ଆପତ୍ତି ଉଠାଇଥିଲେ। ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ‘ଫର୍ମ-୬’ରେ ନିର୍ଦ୍ଧାରିତ ପ୍ରକ୍ରିୟା ବିନା ପରିବର୍ତ୍ତନ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସୁପ୍ରିମକୋର୍ଟରେ ମାମଲା
ନିର୍ବାଚନ କମିଶନ ସମ୍ପର୍କିତ ଏହି ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ। ଅକ୍ଟୋବର ୫ରେ ମାମଲାର ଶୁଣାଣି ବେଳେ କୋର୍ଟ CEC ଜ୍ଞାନେଶ କୁମାରଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ହୋଇଥିବା ଦାବିକୁ ଗ୍ରହଣ କରିନଥିଲେ। ତେବେ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଓ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।
କୋର୍ଟ ରେକର୍ଡ ଯାଞ୍ଚ କରି ନିର୍ବାଚନ କମିଶନର ନିଷ୍ପତ୍ତିଗୁଡ଼ିକ ସାମୂହିକ ସହମତିରେ ନିଆଯାଇଥିଲା କି ନାହିଁ, ତାହା ପରୀକ୍ଷା କରିବେ। ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ସମ୍ପୃକ୍ତ ନିଷ୍ପତ୍ତିକୁ ରଦ୍ଦ କରାଯାଇପାରେ ବୋଲି ମଧ୍ୟ ଅଦାଲତ ପକ୍ଷରୁ ସ୍ପଷ୍ଟ କରାଯାଇଛି।
