Home Odishaଅଢେଇ ବର୍ଷରେ ଓଡ଼ିଶାର ଭାବମୂର୍ତ୍ତି କ୍ଷୁଣ୍ଣ କରିଛି ଡବଲ ଇଞ୍ଜିନ ସରକାର: ନବୀନ

ଅଢେଇ ବର୍ଷରେ ଓଡ଼ିଶାର ଭାବମୂର୍ତ୍ତି କ୍ଷୁଣ୍ଣ କରିଛି ଡବଲ ଇଞ୍ଜିନ ସରକାର: ନବୀନ

by Sunita Jena
0 comments

ଭୁବନେଶ୍ୱର: ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ନବୀନଙ୍କ କହିବା ଅନୁଯାୟୀ, ବିଜୁ ଜନତା ଦଳ ସବୁବେଳେ ଜନସେବା ଓ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଉନ୍ନତି କରି ଦେଶରେ ଏକ ଆଦର୍ଶ ରାଜ୍ୟ ଭାବେ ପରିଚିତ ହୋଇଥିଲା। କିନ୍ତୁ ବର୍ତ୍ତମାନର ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଭାବମୂର୍ତ୍ତି ପ୍ରଭାବିତ ହୋଇଥିବା ସେ ଅଭିଯୋଗ କରିଥିଲେ। ଏହାସହ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ କଥିତ ବିଫଳତା ଓ ଜନବିରୋଧୀ ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଦଳୀୟ କର୍ମୀଙ୍କୁ ନବୀନ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସଭାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ। ଆୟୋଜକଙ୍କ ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

You may also like

Leave a Comment