ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀଘାଟ ସ୍ଥିତ ବାସଭବନ ବାହାରେ ସୋମବାର ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଥିଲା। ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ବାରୁଇପୁର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ମମତା ବାନାର୍ଜୀଙ୍କୁ ଯିବାରୁ ଅଟକାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିଜେପି କହିଛି, ଏହା କେବଳ ତାଙ୍କ ସୁରକ୍ଷା ପାଇଁ କରାଯାଇଥିବା ବ୍ୟବସ୍ଥା।
ଏହି ପ୍ରସଙ୍ଗରେ ମନ୍ତ୍ରୀ ଦିଲୀପ ଘୋଷ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ ସବୁବେଳେ ରାସ୍ତାରେ ବୁଲୁଛନ୍ତି। ତାଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି, ଯାହାଫଳରେ କେହି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗି ପାରିବେ ନାହିଁ।”
ଆଇଏଏନଏସ୍ର ସୂଚନା ଅନୁସାରେ, ତୃଣମୂଳ କଂଗ୍ରେସ ନେତା ବୈଶ୍ୱନର ଚଟ୍ଟାର୍ଜୀ କହିଛନ୍ତି ଯେ, ମମତା ବାନାର୍ଜୀ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବାହାରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ତାଙ୍କୁ ଯିବାରୁ ଅଟକାଇବା ପାଇଁ ପୋଲିସ ବ୍ୟାରିକେଡ୍ ଲଗାଇଥିଲା।
ସୂଚନା ଅନୁଯାୟୀ, ବାରୁଇପୁରର ସୂର୍ଯ୍ୟାପୁର ହାଟ ଅଞ୍ଚଳରେ ରବିବାର ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଏକ ବସ୍ତା ଭିତରୁ ଉଦ୍ଧାର କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଝିଅଟି ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା।
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟଙ୍କର ଆକ୍ରୋଶ ଦେଖାଦେଇଥିଲା। ଉତ୍ତ୍ୟକ୍ତ ଜନତା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ରହିଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ତୀବ୍ର ହୋଇଯାଇଛି।
