ଆର୍ଥିକ ବିକାଶ ସହ ପରିବେଶ ସୁରକ୍ଷାକୁ ସମାନ ଗୁରୁତ୍ୱ; ସୌରଶକ୍ତି, ଇଭି, ଜଳ ସଂରକ୍ଷଣ ଓ ‘ଗ୍ରୀନ୍ କ୍ୟାମ୍ପସ୍’ ଉପରେ ଜୋର, ଆର୍ଥିକ ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ପରିପୂରକ ହେବା ଆବଶ୍ୟକ। ଏଥିପାଇଁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଜଳବାୟୁ-ସହନଶୀଳ ବିକାଶ ମଡେଲ୍କୁ ଆପଣାଇବା ଉପରେ ଜୋର ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ତୃତୀୟ ‘ଆର୍ଥ ଏଗେନ୍ କନକ୍ଲେଭ୍–୨୦୨୬’ରେ ଯୋଗଦେଇ ସେ ଯୁବପିଢ଼ିଙ୍କୁ ଜଳବାୟୁ କାର୍ଯ୍ୟକ୍ରମର ଦୂତ ଓ ନେତୃତ୍ୱକାରୀ ହେବାକୁ ଆହ୍ୱାନ କରିଛନ୍ତି।
‘Gen C–Generation Climate’ ବିଷୟବସ୍ତୁ ଉପରେ ଆୟୋଜିତ କନକ୍ଲେଭ୍ରେ ରାଜ୍ୟପାଳ କହିଥିଲେ, ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ହୋଇ ରହିନାହିଁ। ଅନିୟମିତ ବର୍ଷା, ବୃଦ୍ଧି ପାଉଥିବା ତାପମାତ୍ରା ଓ ଚରମ ପାଣିପାଗ ଘଟଣା କୃଷି, ଜଳସମ୍ପଦ, ସ୍ୱାସ୍ଥ୍ୟ ଓ ଜୀବିକା ଉପରେ ପ୍ରଭାବ ପକାଉଛି। ତେଣୁ ଯୁବପିଢ଼ି ନିଜ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସକୁ ସାମିଲ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଜଳବାୟୁ ସୁରକ୍ଷା କେବଳ ସରକାର କିମ୍ବା କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ ବୋଲି ଉଲ୍ଲେଖ କରି ରାଜ୍ୟପାଳ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପ, ଗଣମାଧ୍ୟମ ଓ ସାଧାରଣ ନାଗରିକଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ। ନିଯୁକ୍ତି ଓ ଆର୍ଥିକ ବିକାଶ ପାଇଁ ଶିଳ୍ପ ଜରୁରୀ ହେଲେ ମଧ୍ୟ ଏହାକୁ ଅଧିକ ପରିବେଶ ଦାୟିତ୍ୱଶୀଳ ଭାବେ ଆଗେଇ ନେବା ଦରକାର ବୋଲି ସେ କହିଛନ୍ତି। ପ୍ରଦୂଷଣ ହ୍ରାସ, ଶକ୍ତି ଓ ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା କରୁଥିବା ପ୍ରଯୁକ୍ତିର ବ୍ୟବହାର ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଯୁବପିଢ଼ିଙ୍କୁ ବୈଦ୍ୟୁତିକ ଯାନ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଆପଣାଇବାକୁ ଆହ୍ୱାନ କରି ରାଜ୍ୟପାଳ ଲୋକ ଭବନରେ ଥିବା ସୌର ବିଦ୍ୟୁତ୍ ବ୍ୟବସ୍ଥାର ଉଦାହରଣ ଦେଇଥିଲେ। ଚଳିତ ବର୍ଷ ଜୁନ୍ରେ ୪୮୫ kWp ରୁଫ୍ଟପ୍ ସୋଲାର ପ୍ଲାଣ୍ଟ ଯୋଡ଼ାଯିବା ପରେ ଲୋକ ଭବନର ମୋଟ ସୌର ବିଦ୍ୟୁତ୍ କ୍ଷମତା ୬୩୫ କିଲୋୱାଟ୍ରେ ପହଞ୍ଚିଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ସୌରଶକ୍ତି ୟୁନିଟ୍ ସ୍ଥାପନ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଅତିକମରେ ଏକ ବର୍ଷ ମାଗଣା ଇଭି ଚାର୍ଜିଂ ସୁବିଧା ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ RESCO ମଡେଲ୍କୁ ପ୍ରୋତ୍ସାହନ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ‘ଗ୍ରୀନ୍ ସାର୍ଟିଫିକେସନ୍’ ହାସଲ କରିବା ଦିଗରେ କାମ କରିବାକୁ କହିଛନ୍ତି।
‘Each One, Plant One’ ଭାବନାରେ ବର୍ଷସାରା ବୃକ୍ଷରୋପଣ କରିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳ ଆହ୍ୱାନ କରିଥିଲେ। ସୌର ଶକ୍ତି, ଇଲେକ୍ଟ୍ରିକ୍ ଯାନ, ଜଳ ସଂରକ୍ଷଣ ଏବଂ ବର୍ଜ୍ୟବସ୍ତୁ ହ୍ରାସ ଭଳି ପଦକ୍ଷେପ ପରିବେଶ ସୁରକ୍ଷା ସହ ଦେଶର ଶକ୍ତି ସୁରକ୍ଷାକୁ ମଧ୍ୟ ସହାୟତା କରିପାରିବ ବୋଲି ସେ କହିଛନ୍ତି।
ରାଜ୍ୟପାଳ କହିଥିଲେ, “ପୃଥିବୀକୁ ବଞ୍ଚାଇବାକୁ ହେଲେ ପ୍ରଥମ ପଦକ୍ଷେପ ନିଜ ଘରୁ ଆରମ୍ଭ ହେଉ।” ପରିବେଶ ସଚେତନତା ପାଇଁ ‘କ୍ଲାଇମେଟ୍ ପଞ୍ଚାୟତ’, ‘ଗ୍ରୀନ୍ କ୍ୟାମ୍ପସ୍’, ଯୁବ ସମ୍ପୃକ୍ତି ଏବଂ ‘ପରିବେଶ ବିଧାନସଭା’ ଭଳି ପଦକ୍ଷେପ ପାଇଁ ସେ ସମ୍ବାଦ ଗ୍ରୁପ୍କୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ସିଏମ୍ଡି ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ।
