Home Cultureରଥଖଳା: କଣି ଫାଉଡ଼ା ନିର୍ମାଣ ଶେଷ, ରଥ ନିର୍ମାଣ କାର୍ଯ୍ୟ ଜୋରଦାର

ରଥଖଳା: କଣି ଫାଉଡ଼ା ନିର୍ମାଣ ଶେଷ, ରଥ ନିର୍ମାଣ କାର୍ଯ୍ୟ ଜୋରଦାର

by Gulshan Pandey
0 comments

ପୁରୀ: ଆଜି ରଥ ନିର୍ମାଣର ୬୩ତମ ଦିବସରେ ରଥଖଳାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରଥ ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ଗତକାଲି ତିନି ରଥର ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଥିବାବେଳେ ବର୍ତ୍ତମାନ ପ୍ରଭା ଫ୍ରେମ୍ ପ୍ରସ୍ତୁତି କାମ ଜାରି ରହିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ପ୍ରଭାରେ ସୂକ୍ଷ୍ମ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହେବ। ସେହିପରି ଚାରପରିଛା ଗୁଣ୍ଟି ତିଆରି କାମ ଶେଷ ହୋଇଥିବା ସହ ଏହାକୁ ଗୁଜ ତଳେ ସ୍ଥାପନ କରାଯିବ।

ତିନି ରଥ ପାଇଁ ୧୨ଟି ଲେଖାଏଁ କଣି ଫାଉଡ଼ା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଗୁଡ଼ିକୁ ରଥର ଭୂଇଁର ଛଅ କାଠି କୋଣରେ ସ୍ଥାପନ କରାଯିବ। କଣି ଫାଉଡ଼ାର ଚାରିପାର୍ଶ୍ୱରେ ବତା ବା ପତଳା କାଠର ବଟନ୍ ଲଗାଯାଇଥାଏ, ଯାହା ଫଳରେ ରଥରେ କନା ପଡ଼ିବା ସମୟରେ ରଥର ଗୋଲାକାର ଆକୃତି ଅବିକୃତ ରହିବା ସହ କନା ଛିଣ୍ଡି ଯାଏ ନାହିଁ।

ଅନ୍ୟପକ୍ଷରେ, ଖପୁରି ସହିତ ପାରାଭାଡ଼ିକୁ ମିଶାଇ ଅବଶିଷ୍ଟ ୧୨ ପରାସ୍ତ ପୋଟଳ ରଥ ଉପରକୁ ଉଠାଯିବ। ଏହାସହ ପ୍ରତ୍ୟେକ ରଥର ୪ଟି ଦୁଆର ବେଢ଼ା ସ୍ଥାପନ କରାଯିବ। ଖୁବଶୀଘ୍ର ବଡ଼ କଳସ ସ୍ଥାପନ ପରେ ସେଥିରେ ଓଲଟ ଶୁଆ ପ୍ରତିଷ୍ଠା କରାଯିବ।

ଏପଟେ ଘୋଡ଼ା ଓ ସାରଥୀଙ୍କ ମୂର୍ତ୍ତିର ମରାମତି ଏବଂ ରଙ୍ଗ କାର୍ଯ୍ୟ ଚାଲିଥିବାବେଳେ, ରୂପକାର ସେବକମାନେ ନାଟ ଗୋଡ଼ରେ ରୂପ ଖୋଦେଇ କାର୍ଯ୍ୟ ଶେଷ କରି ଅନ୍ୟାନ୍ୟ ଅଳଙ୍କାରିକ ଖୋଦେଇ କାମ ଜାରି ରଖିଛନ୍ତି।

ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଧୂଳିଦଣ୍ଡା ପାଇଁ ଅଗପାତେଳି ଚଉରସ କଣ୍ଟା ଏବଂ ଓଲଟ ଶୁଆ ପାଇଁ ନରାଜ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।

ସେହିପରି ଚିତ୍ରକାର ସେବକମାନେ ନାଟ ଗୋଡ଼ର ଖୋଦିତ ରୂପଗୁଡ଼ିକରେ ରଙ୍ଗ ଦେବା ସହ ପାର୍ଶ୍ୱ ଦେବଦେବୀ ମୂର୍ତ୍ତି, ହଂସପଟା, କନ୍ୟାପଟା, ଶିଖର ଡମ୍ବରୁ, ଓଲଟ ଶୁଆ ଏବଂ ରଥର ବାହ୍ୟ ଅଂଶଗୁଡ଼ିକରେ ଆକର୍ଷଣୀୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

You may also like

Leave a Comment