ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶରଥପୁର ବ୍ଲକ ଗସ୍ତ କରିଥିବା ବେଳେ ରାଜନୈତିକ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନରେ ସ୍ଥାନୀୟ ବିଜେଡି ବିଧାୟିକାଙ୍କୁ ସାମିଲ କରାଯାଇନଥିବା ଅଭିଯୋଗକୁ କେନ୍ଦ୍ର କରି ଉଭୟ ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଉପୁଜିଥିବା ଜଣାପଡ଼ିଛି।ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ ପ୍ରଶାସନ ପକ୍ଷରୁ ଡକାଯାଇଥିଲା। ଉଭୟ ବିଧାୟିକା ତରପଦା ପଞ୍ଚାୟତର ପତିରିଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ପାୱାର ବୋଟ୍ ଯୋଗେ କସପା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଅଞ୍ଚଳକୁ ଯାଇ ବନ୍ୟା ସ୍ଥିତି ପରଖିଥିଲେ। ତାଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।ରାମଚନ୍ଦ୍ରପୁରରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ। ସରକାରଙ୍କ ପକ୍ଷରୁ ରିଲିଫ୍ ଓ ଅନ୍ୟାନ୍ୟ ସହାୟତା ଠିକ୍ ଭାବେ ମିଳୁଛି କି ନାହିଁ, ସେନେଇ ମଧ୍ୟ ପଚାରି ବୁଝିଥିଲେ। ଏଥିସହ ଆଗାମୀ ଦିନରେ ଦଶରଥପୁର ଅଞ୍ଚଳରେ ବନ୍ୟା ସମସ୍ୟା ହ୍ରାସ କରିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଥିଲେ।
ଅନ୍ୟପକ୍ଷରେ, ବନ୍ୟା ସମୀକ୍ଷା ଗସ୍ତକୁ ନେଇ ଉପୁଜିଥିବା ରାଜନୈତିକ ବିବାଦରେ ଯାଜପୁର ବିଧାୟିକା ସୁଜାତା ସାହୁ ଓ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।
