ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଇଁ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ପାଠ୍ୟପୁସ୍ତକରେ ଥିବା ଭୁଲଗୁଡ଼ିକର କାରଣ ଖୋଜିବା ଏବଂ ତୁରନ୍ତ ସୁଧାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା।
ଏହି ପ୍ରସଙ୍ଗରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ପ୍ରୁଫ୍ରିଡିଂ ଏବଂ ପ୍ରକାଶନ ପ୍ରକ୍ରିୟାରେ କେଉଁ ସ୍ତରରେ ତ୍ରୁଟି ଘଟିଛି ଏବଂ ଏଥିପାଇଁ କିଏ ଦାୟୀ, ତାହାର ଅନୁଧ୍ୟାନ କରିବ ଏହି କମିଟି।
ମୁଖ୍ୟମନ୍ତ୍ରୀ କମିଟିକୁ ୭ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ସେହିପରି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବିଘ୍ନ ନଘଟିବା ପାଇଁ ତ୍ରୁଟିଗୁଡ଼ିକୁ ଶୀଘ୍ର ସଂଶୋଧନ କରିବା ଏବଂ ଭବିଷ୍ୟତରେ ଏପରି ଅବହେଳା ନହେବା ପାଇଁ ଗୁଣାତ୍ମକ ଯାଞ୍ଚ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ପାଠ୍ୟପୁସ୍ତକର ଗୁଣବତ୍ତା ଓ ଶିକ୍ଷା ବ୍ୟବସ୍ଥା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ସ୍ପଷ୍ଟ ସନ୍ଦେଶ ଦେଇଥିବା ଜଣାପଡ଼ିଛି।
