ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ଅସ୍ୱାଭାବିକ ସଂଖ୍ୟାର ତ୍ରୁଟି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥାଇପାରେ ବୋଲି ରାଜ୍ୟ ସରକାର ସନ୍ଦେହ କରୁଛନ୍ତି। ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଫେରାଇ ନେଇ ସେଗୁଡ଼ିକ ବଦଳରେ ନୂଆ ବହି ବଣ୍ଟନ କରାଯିବ ବୋଲି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଧରାପଡ଼ିଥିବା ତ୍ରୁଟିକୁ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଏହାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
ତଦନ୍ତ ସମୟରେ ପାଠ୍ୟପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ, ଅନୁମୋଦନ ଏବଂ ମୁଦ୍ରଣ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଖତିଆନ କରାଯିବ। କେଉଁ ପର୍ଯ୍ୟାୟରେ ତ୍ରୁଟି ହୋଇଛି ଏବଂ ଏଥିପାଇଁ କିଏ ଦାୟୀ, ତାହା ଚିହ୍ନଟ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ କିଛି ଛୋଟ ଛୋଟ ତ୍ରୁଟି ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ଯେତେ ପରିମାଣର ଭୁଲ ଧରାପଡ଼ିଛି, ତାହା ଅସ୍ୱାଭାବିକ। ତେଣୁ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କୌଣସି ବଡ଼ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସେ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ବହି ଫେରାଇ ନିଆଯିବ। ସେଗୁଡ଼ିକ ବଦଳରେ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ଛପାଯାଇ ପୁଣିଥରେ ବଣ୍ଟନ କରାଯିବ, ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ଅସୁବିଧା ହେବ ନାହିଁ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତରେ ଯେଉଁମାନେ ଦୋଷୀ ବୋଲି ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଷଡ଼ଯନ୍ତ୍ରର ପ୍ରମାଣ ମିଳେ, ତେବେ ନୂଆ ପାଠ୍ୟପୁସ୍ତକ ଛପା ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ଦାୟୀ ବ୍ୟକ୍ତି କିମ୍ବା ସଂସ୍ଥାଙ୍କଠାରୁ ଆଦାୟ କରାଯିବ। ଭବିଷ୍ୟତରେ ଯେପରି ଏଭଳି ଘଟଣା ପୁଣି ନଘଟେ, ସେଥିପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
