ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ପ୍ରବଳ ଗ୍ରୀଷ୍ମପ୍ରବାହରୁ ଲୋକେ ଆଶ୍ୱସ୍ତ ହୋଇଥିବା ବେଳେ ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ପୂର୍ବ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ପୁନର୍ବାର ଖୋଲିବ।
ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଗୁରୁବାରଠାରୁ ପୁଣିଥରେ ଶ୍ରେଣୀଗୃହକୁ ଫେରିବେ। ଗତ କିଛି ସପ୍ତାହ ଧରି ରାଜ୍ୟରେ ଅସହ୍ୟ ଗରମ ଓ ପ୍ରବଳ ଖରା କାରଣରୁ ଶିକ୍ଷାଦାନ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ପାଗରେ ସୁଧାର ଆସିଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ପରେ ମଧ୍ୟ ସୋନପୁର ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି ଦେଖିବାକୁ ମିଳିଛି। ସୋନପୁରରେ ନା ସେହିଭଳି ବର୍ଷା ହେଉଛି ନା ଖରା କମୁଛି ଫଳରେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରହିବ ।
ତେବେ ସମ୍ବଲପୁର ଜିଲ୍ଲାରେ ଜୁନ୍ ୨୦ ତାରିଖରେ ପ୍ରସିଦ୍ଧ ସୀତଳ ଷଷ୍ଠୀ ପର୍ବ ପାଳନ ହେବାକୁ ଥିବାରୁ ସେହି ଦିନ ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। କେବଳ ଶିକ୍ଷାନୁଷ୍ଠାନ ନୁହେଁ, ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ସେହି ଦିନ ବନ୍ଦ ରହିବ।
ସୀତଳ ଷଷ୍ଠୀ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ। ପ୍ରତିବର୍ଷ ଏହି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇଥାନ୍ତି। ଏହାକୁ ନେଇ ସମ୍ବଲପୁରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳେ।
ରାଜ୍ୟ ସରକାର ପକ୍ଷରୁ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ଫେରିବା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ସରିବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ପାଠପଢ଼ା ସୁଚାରୁରୂପେ ଆରମ୍ଭ ହୋଇପାରିବ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ସପ୍ତାହ ଧରି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଅନେକ ଜିଲ୍ଲାରେ ତାପମାତ୍ରା ବହୁତ ବଢ଼ିଯାଇଥିବାରୁ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ଦେଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ପୂର୍ବରୁ କହିଥିଲେ ଯେ, ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ସମ୍ପର୍କିତ ନିଷ୍ପତ୍ତି ନିଆଯିବ। ଯେଉଁ ଜିଲ୍ଲାରେ ଅତ୍ୟଧିକ ଗରମ ରହିବ, ସେଠାର ସ୍ଥିତିକୁ ସ୍ୱତନ୍ତ୍ର ଭାବେ ସମୀକ୍ଷା କରାଯିବ ବୋଲି ସେ କହିଥିଲେ।
ମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।
