ଭାରତୀୟ ରେଳବାଇରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏବେ କଡ଼ା ନିୟମ ଲାଗୁ ହୋଇଛି। ଜୁନ୍ ୨୦, ୨୦୨୬ ଠାରୁ ବିନା ଟିକେଟ୍ ଯାତ୍ରା ପାଇଁ ସର୍ବନିମ୍ନ ଜରିମାନା ୨୫୦ ଟଙ୍କାରୁ ବଢ଼ାଇ ୫୦୦ ଟଙ୍କା କରାଯାଇଛି।
ଜନ ବିଶ୍ୱାସ (ସଂଶୋଧନ) ଅଧିନିୟମ, ୨୦୨୬ ଅନୁସାରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି। ବିନା ଟିକେଟ୍ ଯାତ୍ରାକୁ ରୋକିବା ଏବଂ ରେଳ ନିୟମର ପାଳନକୁ ଆହୁରି କଡ଼ା କରିବା ଏହାର ଉଦ୍ଦେଶ୍ୟ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ, ରେଳ ଆଇନ ୧୯୮୯ର ଧାରା ୧୩୭ ଓ ୧୩୮ରେ ସଂଶୋଧନ ପରେ ଏହି ନୂଆ ଜରିମାନା ଲାଗୁ ହୋଇଛି। ବର୍ତ୍ତମାନ କୌଣସି ବ୍ୟକ୍ତି ବୈଧ ଟିକେଟ୍ କିମ୍ବା ପାସ୍ ବିନା ଯାତ୍ରା କରୁଥିବା ବେଳେ ଧରାପଡ଼ିଲେ, ତାଙ୍କୁ ଯାତ୍ରା ଭଡ଼ା ସହ ଅତିରିକ୍ତ ଭାବେ ଅତି କମରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
ରେଳ ମନ୍ତ୍ରାଳୟ ଜୁନ୍ ୧୯ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି କରି ଏହି ସଂଶୋଧିତ ନିୟମ ସମ୍ପର୍କରେ ସୂଚନା ଦେଇଥିଲା। ଏହାପରେ ଜୁନ୍ ୨୦ରୁ ନିୟମ କାର୍ଯ୍ୟକାରୀ ହୋଇଛି।
ବିନା ଟିକେଟ୍ ଯାତ୍ରା ବିରୋଧରେ ରେଳବାଇ ଗତ କିଛି ବର୍ଷ ଧରି ବିଶେଷ ଅଭିଯାନ ଚଳାଇ ଆସୁଛି। କେନ୍ଦ୍ରୀୟ ରେଳବାଇର ତଥ୍ୟ ଅନୁସାରେ, କେବଳ ମେ ମାସରେ ପ୍ରାୟ ୪.୯୬ ଲକ୍ଷ ବିନା ଟିକେଟ୍ ଯାତ୍ରୀଙ୍କ ଠାରୁ ୪୦.୮୫ କୋଟି ଟଙ୍କା ଆଦାୟ କରାଯାଇଥିଲା।
ନୂଆ ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀ ଜରିମାନା ଓ ଭଡ଼ା ଦେବାକୁ ମନା କରନ୍ତି କିମ୍ବା ଦେଇନଥାନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇପାରିବ।
ମାମଲା ଅଦାଲତକୁ ଯାଇଥିଲେ ଏବଂ ଅଦାଲତ ଦୋଷୀ ସାବ୍ୟସ୍ତ କଲେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ବକେୟା ରାଶି ପୈଠ କରିବା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍, ୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ।
ରେଳବାଇ ପୁଣିଥରେ ଯାତ୍ରୀମାନଙ୍କୁ ବୈଧ ଟିକେଟ୍ କିଣି ଯାତ୍ରା କରିବାକୁ ପରାମର୍ଶ ଦେଇଛି, ଯାହାଦ୍ୱାରା ସେମାନେ ଜରିମାନା, ଆଇନଗତ ସମସ୍ୟା ଓ ଅନାବଶ୍ୟକ ଅସୁବିଧାରୁ ବଞ୍ଚି ପାରିବେ।
