ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଥିତ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିବା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
ବାଚସ୍ପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ଅରବିନ୍ଦ ମହାପାତ୍ର କହିଛନ୍ତି ଯେ, ବିଜେଡି ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ସମ୍ପୂର୍ଣ୍ଣ ଭିତ୍ତିହୀନ ଥିଲା ଏବଂ ଏହା ଦଳର “ମୂର୍ଖତା”ର ପରିଚୟ ଦେଇଛି। ତାଙ୍କ କହିବା ଅନୁଯାୟୀ, କ୍ରସ୍ ଭୋଟିଂ କରିବା ମାତ୍ରରେ ବିଧାୟକଙ୍କ ସଦସ୍ୟତା ରଦ୍ଦ ହୁଏ ନାହିଁ ଏବଂ ସେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେଇଥିଲେ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଚର୍ଚ୍ଚାରେ ରହିବା ପାଇଁ ବିଜେଡି ଏଭଳି ପଦକ୍ଷେପ ନେଇଥିଲା। ଦଳ ପାଖରେ କୌଣସି ଦୃଢ଼ ଆଇନଗତ ଯୁକ୍ତି ନଥିବାରୁ ଆବେଦନ ଖାରଜ ହୋଇଥିବା ସେ କହିଛନ୍ତି।
ରାଜନୈତିକ ଭବିଷ୍ୟତ ସମ୍ପର୍କରେ ପଚରାଯିବାରୁ ଅରବିନ୍ଦ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସେ କୌଣସି ରାଜନୈତିକ ଦଳରେ ଯୋଗଦେବାର ଯୋଜନା ରଖିନାହାନ୍ତି। ତେବେ ୨୦୨୯ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି।
ଏହାସହ ବିଜେଡି ନେତୃତ୍ୱ ଓ ଦଳ ପରିଚାଳନାକୁ ନେଇ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ଆଣି ବିଜେଡି ଆଠ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଦାଖଲ କରିଥିଲା। ଏଥିରେ ସୁବାସିନୀ ଜେନା, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ନାମ ସାମିଲ ଥିଲା। ତେବେ ବାଚସ୍ପତି ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।
