ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରେ ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଦିନିକିଆ ଗସ୍ତ ଅବସରରେ ସେ ଭୁବନେଶ୍ୱରସ୍ଥିତ Odisha University of Agriculture and Technology (OUAT)ର ଏକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସିବରାଜ ସିଂହ ଚୌହ୍ବାନ ମଧ୍ୟ ଉପସ୍ଥିତ ରହିବାର ସୂଚନା ମିଳିଛି। କୃଷି, ଶିକ୍ଷା ଓ ଗ୍ରାମୀଣ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ପାଇବ ବୋଲି ଆଶା କରାଯାଉଛି।
ଗସ୍ତ କାଳୀନ ସମୟରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ଆୟୋଜିତ ଅନ୍ୟାନ୍ୟ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ସେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ରାଜ୍ୟର ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଓ କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱରରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ମହଳରେ ଉତ୍ସାହ ଦେଖାଦେଇଛି।
