ସୁନ୍ଦରଗଡ଼: ନାତିକୁ ବିଦ୍ୟୁତ ଆଘାତରୁ ବଞ୍ଚାଇବାକୁ ଯାଇ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଥାନା ଅନ୍ତର୍ଗତ ମଝାପଡ଼ା ପଞ୍ଚାୟତର ଜୟକୁଦର ଗାଁର ଗିରିଜାଟୋଲି ଅଞ୍ଚଳରେ ମଙ୍ଗଳବାର ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଗାଁରେ ନିର୍ମାଣାଧୀନ ଥିବା ଏକ କୋଠା ଘର ପାଇଁ ନିଆଯାଇଥିବା ବିଦ୍ୟୁତ ସଂଯୋଗର ଏକ ଜୀବନ୍ତ ତାର ଛିଣ୍ଡି ଭୂମିରେ ପଡ଼ି ରହିଥିଲା। ସେହି ସମୟରେ ତିନି ବର୍ଷର ଶିଶୁ ଅଶ୍ୱିକ କୁସୁମା ଘର ବାହାରେ ଖେଳୁଥିବା ବେଳେ ଅଜାଣତରେ ତାର ସଂସ୍ପର୍ଶରେ ଆସିଯାଇଥିଲା।
ଶିଶୁଟି ବିପଦରେ ପଡ଼ିଥିବା ଦେଖି ତାଙ୍କ ବଡ଼ ଜେଜେବାପା ମିଖେଲ କୁସୁମା ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲେ। କିଛି ସମୟ ପରେ ଅନ୍ୟ ଜେଜେବାପା ଇଶାଦର କୁସୁମା ମଧ୍ୟ ସହାୟତା ପାଇଁ ପହଞ୍ଚିଥିଲେ। ତେବେ ତିନିଜଣ ଯାକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।
ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଉଦ୍ଧାର କରି ଆଣ୍ଡାଲି ଜାମବାହାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଇଶାଦର କୁସୁମାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଶିଶୁ ଅଶ୍ୱିକ ଓ ମିଖେଲ କୁସୁମାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିରମିତ୍ରପୁର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ନିର୍ମାଣ କାମ କରୁଥିବା ଠିକାଦାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, କାମ ବନ୍ଦ ଥିବା ସତ୍ତ୍ୱେ ବିଦ୍ୟୁତ ତାରକୁ ସୁରକ୍ଷିତ ଭାବେ ବାନ୍ଧି ରଖାଯାଇନଥିଲା। ତାରଟି ଭୂମିରେ ପଡ଼ି ରହିଥିଲା, କିନ୍ତୁ ଏନେଇ କୌଣସି ଧ୍ୟାନ ଦିଆଯାଇନଥିଲା।
ମଝାପଡ଼ା ସରପଞ୍ଚ କହିଛନ୍ତି ଯେ, ରାଜଗାଙ୍ଗପୁରର ଜଣେ ଠିକାଦାର ଏହି ନିର୍ମାଣ କାମ କରୁଥିଲେ। ଦୀର୍ଘ ଦିନ ଧରି କାମ ବନ୍ଦ ଥିବା ସତ୍ତ୍ୱେ ବିଦ୍ୟୁତ ସଂଯୋଗକୁ ସୁରକ୍ଷିତ କରାଯାଇନଥିଲା। ଏହି ଅବହେଳା କାରଣରୁ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି।
ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୋଲିସ ଓ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
