ଓଡ଼ିଶାରେ ଜମି ପଞ୍ଜିକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ଜମି ପଞ୍ଜିକରଣ ସମୟରେ କୌଣସି ନଗଦ କାରବାର ହେବ ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ୍ୟାଶଲେସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ଜମି ପଞ୍ଜିକରଣ କାର୍ଯ୍ୟାଳୟରୁ ଦଲାଲଙ୍କ ହସ୍ତକ୍ଷେପ କମାଇବା ଏବଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଏହି ନୂଆ ବ୍ୟବସ୍ଥା ଆଣାଯାଉଛି।
ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିଭାଗ ଖୁବଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରିବ। ଏହାସହ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।
ନୂଆ ବ୍ୟବସ୍ଥାରେ ଜମି ମାଲିକଙ୍କୁ କେବଳ ଥରେ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟକୁ ଯାଇ ପରିଚୟ ଯାଞ୍ଚ କରାଇବାକୁ ପଡ଼ିବ। ପୂର୍ବରୁ ପଞ୍ଜିକରଣ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର ଅଫିସ୍ ଯିବାକୁ ପଡ଼ୁଥିଲା।
ପଞ୍ଜିକରଣ ଶେଷ ହେବା ପରେ ରେଜିଷ୍ଟର୍ ହୋଇଥିବା ଦଲିଲ ଅନଲାଇନ୍ରେ ଉପଲବ୍ଧ ହେବ। ଫଳରେ ଲୋକମାନେ ଘରେ ବସି ସହଜରେ ନିଜ ଦଲିଲ ପାଇପାରିବେ।
ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, ନୂଆ ବ୍ୟବସ୍ଥାରେ ଜମି ପଞ୍ଜିକରଣ ସମୟରେ କୌଣସି ନଗଦ ଟଙ୍କା ଦେବା କିମ୍ବା ନେବାକୁ ଅନୁମତି ରହିବ ନାହିଁ। ପୂର୍ବରୁ ପଞ୍ଜିକରଣ ପ୍ରକ୍ରିୟାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଦେବାର ସୁବିଧା ଥିଲା। ଏବେ ସମସ୍ତ ଦେୟ ଡିଜିଟାଲ୍ ମାଧ୍ୟମରେ କରିବାକୁ ପଡ଼ିବ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜମି ପଞ୍ଜିକରଣ ପ୍ରକ୍ରିୟା ଅଧିକ ସହଜ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହେବ ବୋଲି ଆଶା କରାଯାଉଛି।
