ପାରଳାଖେମୁଣ୍ଡି: ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଏବଂ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ମତ ପ୍ରକାଶ ପାଉଛି। ସଂସ୍କୃତିପ୍ରେମୀ ଓ ଆଦିବାସୀ ସମାଜର ବୁଦ୍ଧିଜୀବୀମାନେ ଏହାର ସଂରକ୍ଷଣ ପାଇଁ ଯୋଜନାବଦ୍ଧ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଜିଲ୍ଲାରେ ଲାଞ୍ଜିଆ ସଉରା, ଶବର, ଶୁଦ୍ଧ ଶବର, କୁଇ ଓ କନ୍ଧ ଭଳି ବିଭିନ୍ନ ଜନଜାତି ସମ୍ପ୍ରଦାୟ ଶତାବ୍ଦୀ ଧରି ନିଜସ୍ୱ ଭାଷା, ପରମ୍ପରା, ଲୋକନୃତ୍ୟ, ଲୋକଗୀତ, ଚିତ୍ରକଳା ଏବଂ ଆଚାର-ବିଚାରକୁ ସଂରକ୍ଷିତ କରି ଆସୁଛନ୍ତି। ତେବେ ସମୟର ପରିବର୍ତ୍ତନ, ଆଧୁନିକ ଜୀବନଶୈଳୀର ପ୍ରଭାବ ଓ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ଉଦ୍ୟମର ଅଭାବ ଯୋଗୁଁ ଏହି ଅମୂଲ୍ୟ ସାଂସ୍କୃତିକ ସମ୍ପଦ ଧୀରେ ଧୀରେ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି।
ସଉରା ସମ୍ପ୍ରଦାୟର ପ୍ରସିଦ୍ଧ ଇଡିତାଲ ଚିତ୍ରକଳା, ସଉରା ଲୋକଗୀତ, ଲୋକନୃତ୍ୟ, ମୟୂର ନୃତ୍ୟ, ମାଦଲ, ଢୋଲ, ମହୁରୀ ଓ ବଂଶୀ ବାଦନ ସମେତ ପାରମ୍ପରିକ ହସ୍ତଶିଳ୍ପ ଗଜପତିର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ବହନ କରେ। ଏହି କଳାଗୁଡ଼ିକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଆଦିବାସୀ ସମାଜର ଇତିହାସ, ଧାର୍ମିକ ବିଶ୍ୱାସ, ପ୍ରକୃତି ସହ ସମ୍ପର୍କ ଓ ସାମାଜିକ ଜୀବନର ଜୀବନ୍ତ ପ୍ରତିଛବି।
ବିଶେଷକରି ସଉରା ସମ୍ପ୍ରଦାୟର ଇଡିତାଲ ଚିତ୍ରକଳା ଦେଶ ଓ ବିଦେଶରେ ପରିଚିତି ଲାଭ କରିଥିଲେ ମଧ୍ୟ ଏହାର ପ୍ରଚାର, ପ୍ରସାର ଏବଂ ସଂରକ୍ଷଣ ପାଇଁ ସ୍ଥାୟୀ ଭିତ୍ତିଭୂମି ଗଢ଼ି ଉଠିନାହିଁ। ସେହିପରି ସଉରା ଲୋକଗୀତ ଓ ଲୋକନୃତ୍ୟ ବର୍ତ୍ତମାନ ପ୍ରାୟତଃ ପର୍ବପର୍ବାଣୀ ଓ ସରକାରୀ କାର୍ଯ୍ୟକ୍ରମରେ ସୀମିତ ହୋଇପଡ଼ିଛି। ଅନ୍ୟାନ୍ୟ ପାରମ୍ପରିକ ଆଦିବାସୀ ଲୋକନୃତ୍ୟ ମଧ୍ୟ ଧୀରେ ଧୀରେ ଲୋକଦୃଷ୍ଟିରୁ ଦୂରେଇ ଯାଉଛି।
ଅନ୍ୟପକ୍ଷରେ, ନୂତନ ପିଢ଼ି ଶିକ୍ଷା ଓ ରୋଜଗାର ପାଇଁ ସହରମୁହାଁ ହେଉଥିବାରୁ ପାରମ୍ପରିକ କଳା ଓ ସଂସ୍କୃତି ପ୍ରତି ସେମାନଙ୍କ ଆଗ୍ରହ କ୍ରମଶଃ ହ୍ରାସ ପାଉଥିବା ମଧ୍ୟ ଦେଖାଯାଉଛି।
ଆଦିବାସୀ ନେତା ଜେମେଶ ରାଇକା, ମୋଜେସ ଦଳ ବେହେରା, ଆବ୍ରାହାମ ଗମାଙ୍ଗ ଓ ଜେରଦ ମାଝିଙ୍କ ମତରେ, ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏକ ଲୋକକଳା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଗଲେ ପାରମ୍ପରିକ କଳାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହଜ ହେବ। ଏଥିସହ ପ୍ରତ୍ୟେକ ବ୍ଲକ୍ ସ୍ତରରେ ବାର୍ଷିକ ଆଦିବାସୀ ଲୋକକଳା ମହୋତ୍ସବ ଆୟୋଜନ, ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନୀୟ ଐତିହ୍ୟକୁ ସାମିଲ କରିବା ଏବଂ କଳାକାରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ।
ସେହିପରି ଜିଲ୍ଲାର ଐତିହାସିକ ସ୍ଥାନ, ପୁରାତନ ମନ୍ଦିର, ରାଜପରମ୍ପରା ସହ ଜଡ଼ିତ ସ୍ମାରକ ଓ ଆଦିବାସୀ ସଂସ୍କୃତିକୁ କେନ୍ଦ୍ର କରି ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଥିଲେ ମଧ୍ୟ ଏହାର ବିକାଶ ପାଇଁ ସୁଦୂରପ୍ରସାରୀ ଯୋଜନାର ଅଭାବ ରହିଛି।
ସଂସ୍କୃତି ଓ ପର୍ଯ୍ୟଟନର ସମନ୍ୱୟରେ ଯଦି ଯୋଜନାବଦ୍ଧ ପଦକ୍ଷେପ ନିଆଯାଏ, ତେବେ ସ୍ଥାନୀୟ କଳାକାରଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଗଜପତି ଜିଲ୍ଲାର ସାଂସ୍କୃତିକ ପରିଚୟ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ ହୋଇପାରିବ। ନଚେତ୍ ଏହି ବହୁମୂଲ୍ୟ ଲୋକକଳା ଓ ପରମ୍ପରା ଆଗାମୀ ଦିନରେ କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଯିବାର ଆଶଙ୍କା ରହିଛି ବୋଲି ସଂସ୍କୃତିପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
