ଭୁବନେଶ୍ୱର, ୧ ଜୁଲାଇ: ଅଙ୍ଗଦାନର ମହତ୍ତ୍ୱ ଏବଂ ମାନବିକ ମୂଲ୍ୟବୋଧକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ ରାଜ୍ୟ ସରକାର କରମୁକ୍ତ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିବା ସୂଚନା ମିଳିଛି। ସମାଜରେ ଅଙ୍ଗଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହ ଅଧିକରୁ ଅଧିକ ଦର୍ଶକଙ୍କ ପାଖରେ ଏହି ସାମାଜିକ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତିରାଜ ଶତପଥୀ ଏବଂ ପ୍ରଯୋଜନା କରିଛନ୍ତି ନୈନା ଦାଶ ତିୱାରୀ। ‘ଆଫା’ର କାହାଣୀ ଏକ ୧୬ ବର୍ଷୀୟା କିଶୋରୀଙ୍କ ଜୀବନକୁ କେନ୍ଦ୍ର କରି ଆଗକୁ ବଢ଼ିଛି। ଦୀର୍ଘଦିନ ଧରି ଗୁରୁତର ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ସେ ନିଜ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନେଇଥାନ୍ତି। ଜୀବନର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏହି ମହାନ ଚିନ୍ତାଧାରା ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ।
ଚଳଚ୍ଚିତ୍ରଟି କେବଳ ଏକ ମନୋରଞ୍ଜନଧର୍ମୀ କାହାଣୀ ନୁହେଁ, ବରଂ ଅଙ୍ଗଦାନ ଭଳି ସମ୍ବେଦନଶୀଳ ବିଷୟ ଉପରେ ସମାଜକୁ ସଚେତନ କରିବାର ଏକ ପ୍ରୟାସ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଅଙ୍ଗଦାନ ସମ୍ପର୍କରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା, ମାନବିକତା, ତ୍ୟାଗ ଓ ସେବାଭାବକୁ ପ୍ରୋତ୍ସାହିତ କରିବାରେ ଏହି ଚଳଚ୍ଚିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
କରମୁକ୍ତ ଘୋଷଣା ଫଳରେ ଚଳଚ୍ଚିତ୍ରଟି ଅଧିକ ସଂଖ୍ୟକ ପ୍ରେକ୍ଷକଙ୍କ ପାଖରେ ପହଞ୍ଚିପାରିବ ଏବଂ ଅଙ୍ଗଦାନ ପରି ଏକ ମହାନ ମାନବିକ କାର୍ଯ୍ୟ ପ୍ରତି ଲୋକଙ୍କ ଆଗ୍ରହ ଓ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
