ଭୁବନେଶ୍ୱର, ୨ ଜୁଲାଇ: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC) ଗ୍ରୁପ୍ ମଧ୍ୟରେ ଏକ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ସ୍ଥାପନ ପାଇଁ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ନିବେଶ ହେବା ସହ ୫୩,୫୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆକଳନ କରିଛନ୍ତି।
ଭୁବନେଶ୍ୱରର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସମ୍ପନ୍ନ ହୋଇଥିଲା। ପ୍ରକଳ୍ପରେ ବକ୍ସାଇଟ୍ ଖଣି ଉତ୍ତୋଳନ, ଆଲୁମିନା ରିଫାଇନେରୀ, ଆଲୁମିନିୟମ୍ ସ୍ମେଲଟର, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ଏବଂ ଡାଉନଷ୍ଟ୍ରିମ୍ ଆଲୁମିନିୟମ୍ ଶିଳ୍ପର ବିକାଶ କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମୃଦ୍ଧ ଓଡ଼ିଶା–୨୦୩୬’ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ରାଜ୍ୟର ପ୍ରାକୃତିକ ସମ୍ପଦ ସହ ଆନ୍ତର୍ଜାତିକ ପୁଞ୍ଜି ଓ ପ୍ରଯୁକ୍ତିର ସମନ୍ୱୟ ଓଡ଼ିଶାର ଶିଳ୍ପ ବିକାଶକୁ ନୂଆ ଦିଗ ଦେବ। ଖଣିଜ ସମ୍ପଦର ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନକୁ ଗତି ଦେବା ଏବଂ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ।

ସରକାରଙ୍କ ସୂଚନା ଅନୁସାରେ, ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫ ହଜାର ଏବଂ ଉତ୍ପାଦନ ଆରମ୍ଭ ପରେ ପ୍ରାୟ ୧୮,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୋଟ ୫୩,୫୦୦ରୁ ଅଧିକ ଲୋକ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପରିବେଶ ଅନୁକୂଳ ‘ଗ୍ରୀନ୍ ମେଟାଲ୍ସ’ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସରକାର କାମ କରୁଛନ୍ତି। ଏହି ପ୍ରକଳ୍ପ ସେହି ଉଦ୍ୟମକୁ ଅଧିକ ସୁଦୃଢ଼ କରିବ।
IHC ଗ୍ରୁପ୍ର ପ୍ରତିନିଧିମାନେ କହିଥିଲେ, ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଭାରତ ଓ ୟୁଏଇ ମଧ୍ୟରେ ଶିଳ୍ପ ସହଯୋଗର ନୂଆ ଅଧ୍ୟାୟ। ଭବିଷ୍ୟତରେ ପ୍ରଯୁକ୍ତି, ଗବେଷଣା, ଡିଜିଟାଲ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ମଧ୍ୟ ଉଭୟ ପକ୍ଷ ସହଯୋଗ ବଢ଼ାଇବାକୁ ଆଗ୍ରହୀ ବୋଲି ସେମାନେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡ୍ର ବ୍ୟବସ୍ଥାପନ ନିର୍ଦ୍ଦେଶକ କରନ୍ ଆଦାନୀ ଓଡ଼ିଶାର ଖଣିଜ ସମ୍ପଦ ଏବଂ ଶିଳ୍ପ ସମ୍ଭାବନାର ପ୍ରଶଂସା କରିଥିଲେ। ସେ କହିଥିଲେ, ଓଡ଼ିଶା କଞ୍ଚାମାଲ ଯୋଗାଣକାରୀ ରାଜ୍ୟରୁ ମୂଲ୍ୟ ସଂଯୋଜନଭିତ୍ତିକ ଉତ୍ପାଦନ କେନ୍ଦ୍ରରେ ପରିଣତ ହେଉଛି ଏବଂ ଏହି ପ୍ରକଳ୍ପ ସେହି ପରିବର୍ତ୍ତନକୁ ଆହୁରି ତ୍ୱରାନ୍ୱିତ କରିବ।

