Home Featuredଭୁବନେଶ୍ୱରରେ ୧୦ ଜୁଲାଇରେ ରକ୍ଷା ପେନସନ ସମାଧାନ ଶିବିର, ପେନସନଭୋଗୀଙ୍କ ଅଭିଯୋଗର ହେବ ତ୍ୱରିତ ସମାଧାନ

ଭୁବନେଶ୍ୱରରେ ୧୦ ଜୁଲାଇରେ ରକ୍ଷା ପେନସନ ସମାଧାନ ଶିବିର, ପେନସନଭୋଗୀଙ୍କ ଅଭିଯୋଗର ହେବ ତ୍ୱରିତ ସମାଧାନ

by Lokanath Panigrahi
0 comments

ଭୁବନେଶ୍ୱର: ପ୍ରତିରକ୍ଷା ବାହିନୀର ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପେନସନ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ଉଦ୍ଦେଶ୍ୟରେ ଆସନ୍ତା ୧୦ ଜୁଲାଇ ୨୦୨୬ରେ ଭୁବନେଶ୍ୱରରେ ରକ୍ଷା ପେନସନ ସମାଧାନ ଆୟୋଜନ (Defence Pension Adalat – RPSA) ଅନୁଷ୍ଠିତ ହେବ। ଏହି ଶିବିରର ଆୟୋଜନ ପ୍ରତିରକ୍ଷା ଆକାଉଣ୍ଟସ୍ (ପେନସନ)ର ପ୍ରମୁଖ ନିୟନ୍ତ୍ରକ କାର୍ଯ୍ୟାଳୟ, ପ୍ରୟାଗରାଜ ପକ୍ଷରୁ କରାଯାଉଛି।

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ ‘ରେଳ ସଦନ’ ଅଡିଟୋରିୟମ୍ରେ ଆୟୋଜିତ ହେବ। ଏହାର ପରିଚାଳନାରେ ଛତିଶଗଡ଼ ଓ ଓଡ଼ିଶା ଉପକ୍ଷେତ୍ର, ଷ୍ଟେସନ ମୁଖ୍ୟାଳୟ ଭୁବନେଶ୍ୱର ଏବଂ ରାଜ୍ୟ ସୈନିକ ବୋର୍ଡ, ଓଡ଼ିଶା ସହଯୋଗ କରିବେ।

ଏହି ଶିବିରରେ ଓଡ଼ିଶାରେ ବସବାସ କରୁଥିବା ସମସ୍ତ ପ୍ରତିରକ୍ଷା ପେନସନଭୋଗୀ, ବୀରନାରୀ ଓ ପରିବାର ପେନସନଭୋଗୀମାନେ ଯୋଗଦେଇ ପେନସନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ଯଥା ପେନସନ ସଂଶୋଧନ, ବକେୟା ରାଶି, PPO ସମସ୍ୟା, ବ୍ୟାଙ୍କ ପେମେଣ୍ଟ, SPARSH ସମ୍ବନ୍ଧୀୟ ଅସୁବିଧା ଏବଂ ଅନ୍ୟାନ୍ୟ ଅଭିଯୋଗର ସମାଧାନ ପାଇଁ ସିଧାସଳଖ ଅଧିକାରୀଙ୍କ ସହ ଆଲୋଚନା କରିପାରିବେ। ଅଭିଯୋଗଗୁଡ଼ିକର ଶୁଣାଣି କରି ସମ୍ଭବ ହେଲେ ସ୍ଥଳରେ ହିଁ ସମାଧାନ କରାଯିବ ଏବଂ ଅନ୍ୟ ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ଶିବିରକୁ ଆସୁଥିବା ପେନସନଭୋଗୀମାନଙ୍କୁ ନିଜ ସହ ନାମ, ପଦବୀ, ରେଜିମେଣ୍ଟ କିମ୍ବା IC ନମ୍ବର, PPO ନମ୍ବର, ବ୍ୟାଙ୍କ କିମ୍ବା ଟ୍ରେଜେରୀର ବିବରଣୀ, ୟୁନିଟ୍ କିମ୍ବା ରେକର୍ଡ ଅଫିସ୍‌ର ନାମ, ଡିସଚାର୍ଜ ତାରିଖ, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି ଓ ପୂର୍ଣ୍ଣ ଠିକଣା ସହିତ ସମ୍ପୃକ୍ତ ଦସ୍ତାବିଜ ଆଣିବାକୁ କୁହାଯାଇଛି। SPARSH ପେନସନ ବ୍ୟବସ୍ଥାରେ ପଞ୍ଜୀକୃତ ପେନସନଭୋଗୀମାନେ ନିଜ SPARSH ଆକାଉଣ୍ଟ ସହ ସଂଯୁକ୍ତ ମୋବାଇଲ୍ ନମ୍ବର ସକ୍ରିୟ ଅବସ୍ଥାରେ ସହିତ ଆଣିବା ଆବଶ୍ୟକ।

ପ୍ରତିରକ୍ଷା ପେନସନ ସମ୍ବନ୍ଧୀୟ ଅଭିଯୋଗର ଦ୍ରୁତ ନିଷ୍ପତ୍ତି ପାଇଁ ଏହି ଶିବିର ଏକ ଉପଯୁକ୍ତ ସୁଯୋଗ ବୋଲି ଆୟୋଜକମାନେ କହିଛନ୍ତି। ଅଧିକ ସୂଚନା ପାଇଁ ୭୮୫୨୯୫୪୧୫୪ ମୋବାଇଲ୍ ନମ୍ବରରେ କିମ୍ବା stnhqbbsr@gmail.com ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ।

You may also like

Leave a Comment