Home Odishaପୋଲିସ ଚେକିଂ ଭୟରେ ଗାଡ଼ିରୁ ଗଞ୍ଜେଇ ଖାଲି କରି ଲଗାଇଦେଲେ ନିଆଁ, ବୌଦ୍ଧରେ ଚାଞ୍ଚଲ୍ୟ

ପୋଲିସ ଚେକିଂ ଭୟରେ ଗାଡ଼ିରୁ ଗଞ୍ଜେଇ ଖାଲି କରି ଲଗାଇଦେଲେ ନିଆଁ, ବୌଦ୍ଧରେ ଚାଞ୍ଚଲ୍ୟ

by Shubham Kumar
0 comments

ବୌଦ୍ଧ ଜିଲ୍ଲାରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗଞ୍ଜେଇ ଚୋରାଚାଲାଣ ସହ ଏହାର ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ଯାଞ୍ଚରୁ ଖସିଯିବା ପାଇଁ ଦୁର୍ବୃତ୍ତମାନେ ଏକ କାର୍‌କୁ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ଜିଲ୍ଲାର ମାର୍ଜାଦାପୁର ଗ୍ରାମ ନିକଟସ୍ଥ ଆର୍‌ଟିଓ ଟ୍ରେନିଂ ସେଣ୍ଟର ପାଖରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଏକ କାର୍‌ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ପ୍ରାଥମିକ ସୂଚନା ଅନୁସାରେ, କାର୍‌ଟି ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିଲା। ରାସ୍ତାରେ ପୋଲିସର ଗାଡ଼ି ଯାଞ୍ଚ ଚାଲିଥିବା ଦେଖି କାର୍‌ରେ ଥିବା ବ୍ୟକ୍ତିମାନେ ଧରାପଡ଼ିବା ଭୟରେ ଏକ ନିଛାଟିଆ ସ୍ଥାନରେ ଗଞ୍ଜେଇକୁ ଅନ୍ୟ ଗାଡ଼ିକୁ ସ୍ଥାନାନ୍ତର କରିଥିବା ସନ୍ଦେହ କରାଯାଉଛି।

ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ କାର୍‌ରେ ନିଆଁ ଲଗାଇ ଅନ୍ୟ ଗାଡ଼ିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଥିଲା।

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଡ଼ିଯାଇଥିବା କାର୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିର ମାଲିକ କିଏ, ଘଟଣାରେ କେଉଁମାନେ ସମ୍ପୃକ୍ତ ଏବଂ କେତେ ପରିମାଣର ଗଞ୍ଜେଇ ପରିବହନ କରାଯାଉଥିଲା, ସେନେଇ ତଦନ୍ତ ଚାଲିଛି।

ଏହି ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ଚୋରାଚାଲାଣ ନେଟୱର୍କର ପର୍ଦ୍ଦାଫାଶ କରିବାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

You may also like

Leave a Comment