ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ ପରିସର ଉପରେ ନଜର ରଖିବ, ଜରୁରୀ ପରିସ୍ଥିତି ଚିହ୍ନଟ କରିବା ସହ ଭିଡ଼ ନିୟନ୍ତ୍ରଣରେ ରେଳ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବ।
ଏହି AI ରୋଭରକୁ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ବିକଶିତ କରାଯାଇଛି। ଏଥିରେ ୭ଟି ୩୬୦ ଡିଗ୍ରୀ AI କ୍ୟାମେରା ଲାଗିଛି। ଏହା ରେଳ ଷ୍ଟେସନର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ।
କୌଣସି ଯାତ୍ରୀ ରେଳ ଲାଇନ ଉପରକୁ ଚାଲିଗଲେ, କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖାଗଲେ କିମ୍ବା ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଏହି ରୋଭର ତୁରନ୍ତ ରେଳ ଅଧିକାରୀଙ୍କୁ ସତର୍କ ସୂଚନା ଦେବ। ଏହା ସହିତ ଷ୍ଟେସନରେ ଥିବା ଯାତ୍ରୀଙ୍କୁ ବିଭିନ୍ନ ଜରୁରୀ ସୂଚନା ମଧ୍ୟ ପ୍ରଦାନ କରିବ।
ପ୍ରଥମ ପର୍ଯ୍ୟାୟରେ ଏହି AI ରୋଭରକୁ ପୁରୀ ରେଳ ଷ୍ଟେସନରେ ନିୟୋଜିତ କରାଯିବ। ବାହୁଡ଼ା ଯାତ୍ରା ଶେଷ ପର୍ଯ୍ୟନ୍ତ ଏହା ପୁରୀରେ କାର୍ଯ୍ୟ କରିବ। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଭିଡ଼ ପରିଚାଳନାରେ ଏହି ରୋଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ପରବର୍ତ୍ତୀ ସମୟରେ ଏହାକୁ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ମୁତୟନ କରାଯିବ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ସବୁବେଳେ ନୂଆ Technology ବ୍ୟବହାର କରିଆସୁଛି। ଜାନୁଆରୀ ୨୦୨୬ରେ ବିଶାଖାପାଟଣା ରେଳ ଷ୍ଟେସନରେ Human Robocop ଆରମ୍ଭ କରାଯାଇଥିଲା। ସେହି ଅଭିଜ୍ଞତାକୁ ଆଧାର କରି Technologyକୁ ଆହୁରି ଉନ୍ନତ କରାଯାଇ ଏହି AI ରୋଭର ପ୍ରସ୍ତୁତ କରାଯାଇଛି।
ଏହି AI ରୋଭରରେ Facial Recognition Technology ମଧ୍ୟ ରହିଛି। କୌଣସି ଅପରାଧୀ କିମ୍ବା ନିଖୋଜ ବ୍ୟକ୍ତିଙ୍କ ଫଟୋ ଏଥିରେ ଅପଲୋଡ୍ କରାଗଲେ, ସେହି ବ୍ୟକ୍ତି ରୋଭରର କାର୍ଯ୍ୟକ୍ଷେତ୍ରକୁ ଆସିଲେ ତୁରନ୍ତ ଚିହ୍ନଟ କରି ସମ୍ପୃକ୍ତ ଅଧିକାରୀଙ୍କୁ Alert ପଠାଇବ। AI କ୍ୟାମେରା ସାହାଯ୍ୟରେ ଏହା ଷ୍ଟେସନରେ କେତେ ଲୋକ ଅଛନ୍ତି, ତାହାର Headcount ମଧ୍ୟ କରିପାରିବ।
ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, AI ଆଧାରିତ ଏହି ନୂଆ ବ୍ୟବସ୍ଥା ଦ୍ୱାରା ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହିତ ଷ୍ଟେସନ ପରିଚାଳନାକୁ ମଧ୍ୟ ଅଧିକ କାର୍ଯ୍ୟକ୍ଷମ କରାଯିବ।
