Home Featuredଦେଶର ବିଭିନ୍ନ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ରାଜ୍ୟସଭାରେ ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କ ସୂଚନା

ଦେଶର ବିଭିନ୍ନ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ରାଜ୍ୟସଭାରେ ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କ ସୂଚନା

by Lokanath Panigrahi
0 comments

ନୂଆଦିଲ୍ଲୀ, ୨୩ ଜୁଲାଇ: ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ କୁମାର ରାୟ ଆଜି ରାଜ୍ୟସଭାରେ ଦେଶର ବିଭିନ୍ନ ଅଦାଲତରେ ବଢ଼ିଚାଲିଥିବା ବିଚାରାଧୀନ ମାମଲା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟ, ବିଭିନ୍ନ ହାଇକୋର୍ଟ ଏବଂ ଜିଲ୍ଲା ତଥା ଅଧସ୍ତନ ଅଦାଲତରେ ରାଜ୍ୟଭିତ୍ତିକ ବିଚାରାଧୀନ ମାମଲାର ସଂଖ୍ୟା ସହିତ ୧ ବର୍ଷ, ୫ ବର୍ଷ, ୧୦ ବର୍ଷ, ୨୦ ବର୍ଷ ଏବଂ ୩୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ମାମଲାର ବିବରଣୀ ମାଗିଥିଲେ।

ଏହାର ଉତ୍ତରରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୧୬ ଜୁଲାଇ ୨୦୨୬ ସୁଦ୍ଧା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ୯୬,୦୨୪ଟି, ବିଭିନ୍ନ ହାଇକୋର୍ଟରେ ୬୪.୭୨ ଲକ୍ଷ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୪.୯୮ କୋଟି ମାମଲା ବିଚାରାଧୀନ ରହିଛି। ମୋଟ ମିଶାଇ ଦେଶର ଅଦାଲତଗୁଡ଼ିକରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି।

ମନ୍ତ୍ରଣାଳୟ ଆହୁରି ସୂଚନା ଦେଇଛି ଯେ, ଓଡ଼ିଶା ହାଇକୋର୍ଟରେ ୧,୬୯,୩୨୦ଟି ମାମଲା ବିଚାରାଧୀନ ଥିବାବେଳେ, ରାଜ୍ୟର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୧୮,୬୮,୩୨୩ଟି ମାମଲା ବିଚାରାଧୀନ ରହିଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଶୁଣାଣି ଓ ନିଷ୍ପତ୍ତି ନ୍ୟାୟପାଳିକାର କ୍ଷେତ୍ରାଧିକାରଭୁକ୍ତ ହୋଇଥିଲେ ମଧ୍ୟ, ବିଚାରାଧୀନ ମାମଲା କମାଇବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ଇ-କୋର୍ଟସ୍ ଫେଜ୍-୩ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ସ୍ଥାପନ, ଆରିୟର୍ସ କମିଟି ଗଠନ, ପ୍ରକ୍ରିୟାଗତ ସଂସ୍କାର ଏବଂ ଲୋକ ଅଦାଲତ ସମେତ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯାଉଛି।

ଏହି ପ୍ରସଙ୍ଗରେ ସାଂସଦ ଶ୍ରୀ ଦିଲୀପ କୁମାର ରାୟ କହିଛନ୍ତି ଯେ, ସମୟୋପଯୋଗୀ ନ୍ୟାୟ ପ୍ରଦାନ ହେଉଛି ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସର ମୂଳ ଆଧାର। ସେ ଆଶା ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାର ଓ ନ୍ୟାୟପାଳିକାଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଫଳରେ ବିଚାରାଧୀନ ମାମଲାର ସଂଖ୍ୟା ହ୍ରାସ ପାଇବ ଏବଂ ଦେଶବାସୀ ଶୀଘ୍ର ନ୍ୟାୟ ପାଇବେ।

You may also like

Leave a Comment