Home Featuredରଥଯାତ୍ରାରେ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ୍; ଗତ ୪ ବର୍ଷରେ ୧୦୭୫ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍

ରଥଯାତ୍ରାରେ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ୍; ଗତ ୪ ବର୍ଷରେ ୧୦୭୫ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍

by Lokanath Panigrahi
0 comments

ନୂଆଦିଲ୍ଲୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ସହିତ ପୁରୀର ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ନିୟମିତ ଟ୍ରେନ୍ ସେବା ସହ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଅତିରିକ୍ତ କୋଚ୍ ସଂଯୋଜନ ଏବଂ ଆବଶ୍ୟକତା ଅନୁଯାୟୀ ସେବାର ସମ୍ପ୍ରସାରଣ କରାଯାଉଥିବା କଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଛି। ଏଥିରେ ବନ୍ଦେ ଭାରତ, ଶତାବ୍ଦୀ, ଦୁରନ୍ତୋ, ଗରୀବ ରଥ, ସୁପରଫାଷ୍ଟ, ଏକ୍ସପ୍ରେସ୍ ଏବଂ ମେମୁ (MEMU) ଟ୍ରେନ୍ ସାମିଲ ରହିଛି। ରଥଯାତ୍ରା ପରି ବୃହତ୍ ଧାର୍ମିକ ସମାରୋହରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମିତ ସେବା ସହ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରାଯାଏ।

ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ଧରି ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ ବହୁ ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଜନ କରାଯାଇ ଯାତ୍ରୀଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରାଯାଇଛି।

ରେଳମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳବାଇ ଯାତ୍ରୀଙ୍କ ଚାହିଦା, ଟ୍ରାଫିକ୍ ପ୍ରବାହ, ପରିଚାଳନାଗତ ସମ୍ଭାବନା, ବ୍ୟାବସାୟିକ ଯୌକ୍ତିକତା ଏବଂ ଉପଲବ୍ଧ ସମ୍ବଳକୁ ଆଧାର କରି ନୂଆ ସେବା ଆରମ୍ଭ, ଟ୍ରେନ୍‌ର ବାରମ୍ବାରତା ବୃଦ୍ଧି ଓ କୋଚ୍ ସଂଖ୍ୟା ବଢ଼ାଇବା ଭଳି ପଦକ୍ଷେପ ନେଇଥାଏ।

ସେ ଆହୁରି ଜଣାଇଛନ୍ତି ଯେ, ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼କୁ ସମ୍ଭାଳିବା ପାଇଁ ଗତ ଚାରି ବର୍ଷ ଧରି ବ୍ୟାପକ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦିଆଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ ମୋଟ ୧୦୭୫ଟି ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍ ପରିଚାଳନା କରାଯାଇଛି। ସେଥିମଧ୍ୟରୁ ୨୦୨୨ରେ ୧୯୨ଟି, ୨୦୨୩ରେ ୧୯୪ଟି, ୨୦୨୪ରେ ୩୨୩ଟି ଏବଂ ୨୦୨୫ରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍ କରାଯାଇଥିଲା।

ରେଳମନ୍ତ୍ରୀଙ୍କ କହିବା ଅନୁସାରେ, ପୁରୀକୁ ଦେଶର ବିଭିନ୍ନ ପ୍ରମୁଖ ସହର ସହ ସଂଯୋଗ କରୁଥିବା ୧୧୬ଟି ନିୟମିତ ଟ୍ରେନ୍ ସେବା ଭକ୍ତ ଓ ପର୍ଯ୍ୟଟକଙ୍କ ଯାତ୍ରାକୁ ସୁଗମ କରୁଛି। ଆଗାମୀ ଦିନରେ ମଧ୍ୟ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ରେଳବାଇ ପକ୍ଷରୁ ଟ୍ରେନ୍ ସେବାର ସମ୍ପ୍ରସାରଣ ଓ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଜାରି ରହିବ।

You may also like

Leave a Comment