Home Featuredସିମିଳିପାଳ ଆଖପାଖ ୨୦୦ ଗାଁର ବିକାଶ ପାଇଁ ‘ଆମ ସିମିଳିପାଳ ଯୋଜନା’, ୧୨୫ କୋଟି ଟଙ୍କାକୁ ମଞ୍ଜୁରି

ସିମିଳିପାଳ ଆଖପାଖ ୨୦୦ ଗାଁର ବିକାଶ ପାଇଁ ‘ଆମ ସିମିଳିପାଳ ଯୋଜନା’, ୧୨୫ କୋଟି ଟଙ୍କାକୁ ମଞ୍ଜୁରି

by Shubham Kumar
0 comments

ସିମିଳିପାଳ ବାଘ ଅଭୟାରଣ୍ୟ (Similipal Tiger Reserve) ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ୧୨୫ କୋଟି ଟଙ୍କାର ‘ଆମ ସିମିଳିପାଳ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ପାଇଁ ଅର୍ଥ ମଧ୍ୟ ସିମିଳିପାଳ ବାଘ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ପୂର୍ବରୁ ଏହାର ଔପଚାରିକ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି।

ସିମିଳିପାଳ ବାଘ ଅଭୟାରଣ୍ୟର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ତଥା ଫିଲ୍ଡ ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନେନୀ କହିଛନ୍ତି, ପ୍ରାୟ ସାତ ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ଦାଖଲ କରାଯାଇଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଆଧାରରେ ବର୍ତ୍ତମାନ ଯୋଜନାର କାର୍ଯ୍ୟକାରୀ ରୂପରେଖା ପ୍ରସ୍ତୁତ କରାଯାଉଛି।

ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଦ୍ୱାରା ସିମିଳିପାଳ ବାଘ ଅଭୟାରଣ୍ୟ ପାଦଦେଶରେ ଥିବା ପ୍ରାୟ ୨୦୦ଟି ଗାଁ ଉପକୃତ ହେବ। ବନ ଉପରେ ନିର୍ଭରଶୀଳ ପରିବାରମାନଙ୍କ ପାଇଁ ସ୍ଥାୟୀ ଆୟର ସୁଯୋଗ ସୃଷ୍ଟି କରି ସେମାନଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ଏହାର ପ୍ରମୁଖ ଲକ୍ଷ୍ୟ।

‘ଜୀବନ-ଜୀବିକା’ ଧାରଣା ଉପରେ ଆଧାରିତ ଏହି ଯୋଜନା ମାଧ୍ୟମରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି କରାଯିବ। ଏହା ଦ୍ୱାରା ବେଆଇନ ଶିକାର ଓ ବନ୍ୟଜନ୍ତୁ ଚୋରାଚାଲାଣ ଭଳି କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି।

ଏହି ଯୋଜନାରେ ମୁଖ୍ୟତଃ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାଧ୍ୟମରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ହିତାଧିକାରୀମାନଙ୍କୁ ଶାଳପତ୍ର ଥାଳି ପ୍ରସ୍ତୁତି, ସିଲେଇ କାମ, ମହୁ ପ୍ରକ୍ରିୟାକରଣ, ଦୁଗ୍ଧ ଉତ୍ପାଦନ ଓ ପ୍ରକ୍ରିୟାକରଣ, କୁକୁଡ଼ା ପାଳନ, ଛେଳି ଓ ମେଣ୍ଢା ପାଳନ, କୃଷି ଏବଂ ଅଳ୍ପ ଅବଧିର ଅଣଧାନ ଫସଲ ଚାଷ ଭଳି ବିଭିନ୍ନ ଆୟବର୍ଦ୍ଧକ କାର୍ଯ୍ୟକଳାପ କରିବାକୁ ପ୍ରୋତ୍ସାହିତ କରାଯିବ।

ସରକାରଙ୍କ ବିଶ୍ୱାସ ଯେ, ‘ଆମ ସିମିଳିପାଳ ଯୋଜନା’ ଗ୍ରାମାଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ସେହିପରି ବନ ଉପରେ ନିର୍ଭରଶୀଳତା କମିବା ଫଳରେ ସିମିଳିପାଳର ବନ୍ୟଜନ୍ତୁ ଓ ଜୈବ ବିବିଧତାର ଦୀର୍ଘମିଆଦି ସଂରକ୍ଷଣରେ ମଧ୍ୟ ଏହି ଯୋଜନା ସହାୟକ ହେବ।

You may also like

Leave a Comment