Home Featuredରଥଯାତ୍ରା ପୂର୍ବରୁ ସତର୍କତା: ‘ଶ୍ରୀମନ୍ଦିର’ ନାମରେ ଭାଇରାଲ୍ ଆପ୍‌କୁ ନେଇ ଠକେଇ ସନ୍ଦେହ

ରଥଯାତ୍ରା ପୂର୍ବରୁ ସତର୍କତା: ‘ଶ୍ରୀମନ୍ଦିର’ ନାମରେ ଭାଇରାଲ୍ ଆପ୍‌କୁ ନେଇ ଠକେଇ ସନ୍ଦେହ

by Shubham Kumar
0 comments

ପୁରୀ ରଥଯାତ୍ରା ନିକଟତର ହେଉଥିବା ବେଳେ ଭକ୍ତମାନଙ்କୁ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ‘ଶ୍ରୀମନ୍ଦିର’ ନାମରେ ଏକ ଆପ୍‌ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଭକ୍ତମାନଙ୍କୁ ଧାର୍ମିକ ସେବା ନାମରେ ଦାନ କରିବାକୁ ଆହ୍ୱାନ କରୁଥିବା ବେଳେ, ଏହାକୁ ନେଇ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି।

ଭାଇରାଲ୍ ପ୍ରଚାର ଅନୁସାରେ, ଗୁଣ୍ଡିଚା ଯାତ୍ରାର ପ୍ରଥମ ଦିନ ୧୦୧ କିଲୋଗ୍ରାମ ଖିଚୁଡ଼ି ବଣ୍ଟନ କରାଯିବ ବୋଲି କୁହାଯାଇଛି। ଏହି ‘ଖିଚୁଡ଼ି ସେବା’ରେ ସାମିଲ ହେବା ପାଇଁ ଭକ୍ତମାନଙ୍କୁ ୧୨୧ ଟଙ୍କା ଦାନ କରିବାକୁ ଅନୁରୋଧ କରାଯାଉଛି। ଏହି ପୋଷ୍ଟ ଓ ବିଜ୍ଞାପନ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି।

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ପ୍ରାଥମିକ ସୂଚନା ଅନୁଯାୟୀ ଏହା ଏକ ସନ୍ଦେହଜନକ ଠକେଇ ଘଟଣା ହୋଇପାରେ। ଭକ୍ତମାନେ ଏପରି ବିଜ୍ଞାପନ କିମ୍ବା ଅନଲାଇନ୍ ସେବା ପ୍ରଚାରରେ ବିଶ୍ୱାସ କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ପ୍ରତିବର୍ଷ ରଥଯାତ୍ରା ସମୟରେ ସୋସିଆଲ ମିଡିଆରେ ଅନେକ ଦାନ ଓ ସେବା ସମ୍ପର୍କିତ ବିଜ୍ଞାପନ ଦେଖିବାକୁ ମିଳେ। ପୂର୍ବରୁ ମଧ୍ୟ କିଛି ଠକ ସଂଗଠନ ଅବଢ଼ା, ପୂଜା, ଭୋଗ ଓ ଅନ୍ୟାନ୍ୟ ଧାର୍ମିକ ସେବା ନାମରେ ଭକ୍ତମାନଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି।

ଏପରି ଘଟଣାକୁ ରୋକିବା ପାଇଁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଓ ସାଇବର ସେଲ୍ ତତ୍ପର ହୋଇଛି। କ୍ରାଇମ୍ ବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ, ଅବଢ଼ା, ପୂଜା ଓ ମନ୍ଦିର ସେବା ନାମରେ ଠକେଇ କରୁଥିବା ୪ଟି ୱେବସାଇଟ୍‌କୁ ବନ୍ଦ କରାଯାଇଛି।

ସେ କହିଛନ୍ତି ଯେ, ପୁରୀ ଏସ୍‌ପି ପ୍ରାୟ ୭୦ଟି ପ୍ରମାଣିକ ୱେବସାଇଟ୍‌ର ତାଲିକା ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ୨୧୨ଟି ୱେବ ପେଜ୍ ଏବଂ ୪୨ଟି ୱେବସାଇଟ୍‌କୁ ବ୍ଲକ୍ କରାଯାଇଛି। ବର୍ତ୍ତମାନ ମଧ୍ୟ ଅନେକ ଲୋକ ‘ଅବଢ଼ା ଦାନ’ ନାମରେ ଅର୍ଥ ସଂଗ୍ରହ କରୁଛନ୍ତି, ସେଗୁଡ଼ିକୁ ମଧ୍ୟ ବନ୍ଦ କରାଯାଉଛି।

ଭକ୍ତମାନଙ୍କୁ କେବଳ ସରକାରୀ ଓ ପ୍ରମାଣିତ ପ୍ଲାଟଫର୍ମ ମାଧ୍ୟମରେ ଦାନ କିମ୍ବା ମନ୍ଦିର ସେବା ନେବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ୱେବସାଇଟ୍‌, ଆପ୍‌ କିମ୍ବା ସୋସିଆଲ ମିଡିଆ ବିଜ୍ଞାପନ ଦେଖିଲେ ତୁରନ୍ତ ସାଇବର କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।

You may also like

Leave a Comment