ଭୁବନେଶ୍ୱର, ୨୯ ଜୁଲାଇ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନ୍ତର୍ଜାତୀୟ ବାଘ ଦିବସ–୨୦୨୬ ଅବସରରେ ବିଭିନ୍ନ ସଚେତନତା, ଶିକ୍ଷାମୂଳକ ଓ ସଂରକ୍ଷଣଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଘ ଏବଂ ଏହାର ବାସସ୍ଥଳୀର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଘ ସଂରକ୍ଷଣକୁ ସମୟର ପ୍ରମୁଖ ଆବଶ୍ୟକତା ବୋଲି କହିଥିଲେ। ସେ କହିଥିଲେ ଯେ, ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ମଧ୍ୟ ସୁରକ୍ଷିତ ରହିବ। ନନ୍ଦନକାନନ ଶିକ୍ଷା, ସଚେତନତା ଏବଂ ସମ୍ପ୍ରଦାୟର ସହଭାଗିତା ମାଧ୍ୟମରେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହାବସ୍ଥାନର ବାର୍ତ୍ତା ପ୍ରସାର କରୁଥିବା ସେ କହିଥିଲେ।
ଏହି ଅବସରରେ ବାଘ ସଂରକ୍ଷଣ ଶପଥ ଗ୍ରହଣ, ସ୍ୱାକ୍ଷର ଅଭିଯାନ ଏବଂ “୧ ପ୍ରଶ୍ନ–୧ ଉତ୍ତର–୧ ପୁରସ୍କାର (1Q–1A–1P)” ମୋବାଇଲ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ପ୍ରଶ୍ନୋତ୍ତର ମାଧ୍ୟମରେ ସାଧାରଣ ଲୋକଙ୍କୁ ବାଘ ସଂରକ୍ଷଣ ସମ୍ପର୍କରେ ସଚେତନ କରିବା ସହ ଆକର୍ଷଣୀୟ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ବନ୍ୟଜନ୍ତୁ ସଂରକ୍ଷଣରେ ଉଲ୍ଲେଖନୀୟ ସେବା ପାଇଁ ନନ୍ଦନକାନନର ବାଘ ପରିଚର୍ଯ୍ୟାକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ବାଘ ଦିବସ ଉପଲକ୍ଷେ ଆୟୋଜିତ ‘ସିଟ୍ ଆଣ୍ଡ ଡ୍ର’ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଦିନବ୍ୟାପୀ କାର୍ଯ୍ୟକ୍ରମରେ କିପର୍ସ ଟକ୍, ଶିଶୁମାନଙ୍କ ପାଇଁ କାହାଣୀ କହିବା, ମିନି ଜୁ କିପର୍ କାର୍ଯ୍ୟକ୍ରମ, ବାଘ ସଂରକ୍ଷଣ ଉପରେ ବିଶେଷଜ୍ଞଙ୍କ ବକ୍ତବ୍ୟ ଏବଂ ଜୁ’ ସ୍ୱେଚ୍ଛାସେବୀଙ୍କ ନୁକ୍କଡ଼ ନାଟକ ମାଧ୍ୟମରେ ବାଘର ଜୀବନଶୈଳୀ, ବାସସ୍ଥଳୀ ଓ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ପରିଦର୍ଶକଙ୍କୁ ସଚେତନ କରାଯାଇଥିଲା। ବାଘ ଥିମ୍ରେ ପ୍ରସ୍ତୁତ ସ୍ୱତନ୍ତ୍ର ସେଲ୍ଫି ପଏଣ୍ଟ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶ୍ରୀ ସନତ କୁମାର, ଉପ-ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ମିରାସେଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବନ୍ୟଜନ୍ତୁପ୍ରେମୀ, ପରିଦର୍ଶକ ଓ ସଂରକ୍ଷଣ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇଥିଲେ।
ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବାଘ ଓ ଏହାର ବାସସ୍ଥଳୀର ସୁରକ୍ଷା ପାଇଁ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ସହ ଭବିଷ୍ୟତ ପିଢ଼ି ପାଇଁ ବନ୍ୟଜନ୍ତୁ ସଂରକ୍ଷଣର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି।
