Home » Blog » କେନ୍ଦ୍ରାପଡ଼ାରେ ଶିଳ୍ପାୟନକୁ ବଡ଼ ଗତି: ୯୯ କୋଟି ଟଙ୍କାରେ ହେବ ୨୦ଟି MSME ଶିଳ୍ପ, ରୋଜଗାର ଆଶାରେ ଯୁବପିଢ଼ି

କେନ୍ଦ୍ରାପଡ଼ାରେ ଶିଳ୍ପାୟନକୁ ବଡ଼ ଗତି: ୯୯ କୋଟି ଟଙ୍କାରେ ହେବ ୨୦ଟି MSME ଶିଳ୍ପ, ରୋଜଗାର ଆଶାରେ ଯୁବପିଢ଼ି

by Lokanath Panigrahi
0 comments

କେନ୍ଦ୍ରାପଡ଼ା: ଦୀର୍ଘ ବର୍ଷ ଧରି ଶିଳ୍ପାୟନରୁ ବଞ୍ଚିତ ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବିକାଶର ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଜିଲ୍ଲାରେ ୯୯ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୨୦ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ (MSME) ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବା ସହ ଜିଲ୍ଲାର ଶିଳ୍ପ ମାନଚିତ୍ର ବଦଳିବା ନେଇ ଆଶା ବଢ଼ିଛି।

ପ୍ରାକୃତିକ ସମ୍ପଦ ଓ ଭୌଗୋଳିକ ଦୃଷ୍ଟିରୁ ଅନେକ ସମ୍ଭାବନା ଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ଆଖିଦୃଶିଆ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ। ଏହାର ପ୍ରଭାବ ସିଧାସଳଖ ରୋଜଗାର ଉପରେ ପଡ଼ିଛି। ଜୀବିକା ଅନ୍ୱେଷଣରେ ଜିଲ୍ଲାର ଅନେକ ଯୁବକ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଛନ୍ତି। ପରିବାରଠାରୁ ଦୂରରେ ରହି କାମ କରିବା ସହ ଅନେକ ସମୟରେ ଦୁର୍ଘଟଣା ଓ ଅନ୍ୟାନ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ।

ଏଭଳି ପରିସ୍ଥିତିରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିଆପଡ଼ା ପଞ୍ଚାୟତର ପନ୍ତୁରୀଠାରେ ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି MSME ଶିଳ୍ପ ସ୍ଥାପନ ହେବାକୁ ଥିବା ବେଳେ ଏଥିପାଇଁ ୯୯ କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ। ଆଗାମୀ ଦିନରେ ଏହି ଶିଳ୍ପାଞ୍ଚଳରେ ଆହୁରି ଅଧିକ ଶିଳ୍ପ ସ୍ଥାପନର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ରଘୁରାମ ଆର୍. ଆୟର ସୂଚନା ଦେଇଛନ୍ତି।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୮ ଏକର ଜମି ଚିହ୍ନଟ କରାଯାଇଛି। ଜମିର ବିକାଶ ଦାୟିତ୍ୱ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (IDCO)କୁ ଦିଆଯାଇଛି। ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆବଶ୍ୟକ ରାସ୍ତା, ବିଦ୍ୟୁତ୍ ଓ ଜଳଯୋଗାଣ ସହ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗକୁ ସ୍ଥାନ ଦିଆଯିବ। ବିଶେଷକରି ସବୁଜ ଶକ୍ତି ଓ ପ୍ଲାଷ୍ଟିକ ବିକାଶ ସହ ଜଡ଼ିତ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ରହିଛି। ଜମିର ବିକାଶ କାମ ସରିବା ପରେ ଅନୁମୋଦନ ପାଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ନିଜର ପ୍ରକଳ୍ପ କାମ ଆରମ୍ଭ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଶିଳ୍ପ ପ୍ରତିଷ୍ଠା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି। ପନ୍ତୁରୀ ଗାଁର ଚାଷୀ କାହ୍ନୁଚରଣ ରାଉତଙ୍କ କହିବା ଅନୁସାରେ, ଗାଁର ପ୍ରାୟ ୧୦୦ରୁ ୧୨୦ ପରିବାର ମୁଖ୍ୟତଃ ଚାଷ କିମ୍ବା ବାହାରକୁ ଯାଇ ଶ୍ରମ କରି ଜୀବିକା ନିର୍ବାହ କରନ୍ତି। ଏଠାରେ ଶିଳ୍ପ ପ୍ରତିଷ୍ଠା ହେଲେ ଗାଁର ଲୋକଙ୍କୁ ନିଜ ଅଞ୍ଚଳରେ କାମ ମିଳିବ। ବାହାରକୁ ଯାଇ ରୋଜଗାର କରିବା ପରିବର୍ତ୍ତେ ନିଜ ଘରେ ରହି ଭଲ ଆୟ କରିପାରିଲେ ପରିବାରଗୁଡ଼ିକ ଅଧିକ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେହିପରି ସ୍ଥାନୀୟ ବାସିନ୍ଦା ସୁଧୀର ରଞ୍ଜନ ପ୍ରଧାନଙ୍କ ମତରେ, ଶିଳ୍ପ ପ୍ରତିଷ୍ଠା ହେଲେ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ଅଞ୍ଚଳରେ ଛୋଟ ବ୍ୟବସାୟ ଓ ଦୋକାନ ବଜାରର ମଧ୍ୟ ବିକାଶ ହେବ। କେବଳ କୃଷି ଉପରେ ନିର୍ଭରଶୀଳ ଏହି ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼େ। ତେଣୁ ଶିଳ୍ପାୟନ ଏଠାକାର ଅର୍ଥନୀତିକୁ ନୂଆ ଦିଗ ଦେଇପାରିବ ବୋଲି ସେ ମତ ଦେଇଛନ୍ତି।

ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କ ସୂଚନା ଅନୁସାରେ, ପନ୍ତୁରୀଠାରେ ଚିହ୍ନଟ ୩୮ ଏକର ଜମିକୁ IDCO ପକ୍ଷରୁ ବିକଶିତ କରାଯାଉଛି। ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ଟି ଶିଳ୍ପ ସ୍ଥାପନ ପାଇଁ ଅନୁମୋଦନ ମିଳିଛି। ଭିତ୍ତିଭୂମି ବିକାଶ କାମ ଶେଷ ହେବା ପରେ ଉଦ୍ୟୋଗଗୁଡ଼ିକ ନିର୍ମାଣ ଓ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିବେ।

କେନ୍ଦ୍ରାପଡ଼ାରେ ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ବାସ୍ତବ ରୂପ ନେଲେ ସ୍ଥାନୀୟ ନିଯୁକ୍ତି ସୁଯୋଗ ବଢ଼ିବା ସହ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ହ୍ରାସ ପାଇବାର ଆଶା ରହିଛି। ତେବେ ଏହି ଯୋଜନାର ସଫଳତା ନିର୍ଭର କରିବ ଭିତ୍ତିଭୂମି ନିର୍ମାଣ, ଶିଳ୍ପ ସଂସ୍ଥାଗୁଡ଼ିକର କାର୍ଯ୍ୟ ଆରମ୍ଭ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ଉପରେ।

You may also like

Leave a Comment