Home Odishaବାଂଶପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ; ୩ ଗୁରୁତର

ବାଂଶପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ; ୩ ଗୁରୁତର

by Shubham Kumar
0 comments

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଶୂକ୍ରାସାହି ସ୍କୁଲ ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନୟାକୋଟ ଥାନା ଅନ୍ତର୍ଗତ ଭେଜିଡ଼ିହି ଗାଁର ଶରତ ବେହେରା। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଶରତ ବେହେରା ଗୁଆଲି ଅଞ୍ଚଳର ଓଏମ୍‌ସି ଖଣିରେ ଖନନ ଓ ପରିବହନ କାର୍ଯ୍ୟ କରୁଥିବା ତ୍ରିବେଣୀ କମ୍ପାନୀରେ କାର୍ଯ୍ୟରତ ଥିଲେ। ମଙ୍ଗଳବାର କାମ ସାରି ସେ ନିଜ ବାଇକ୍‌ରେ ଘରକୁ ଫେରୁଥିଲେ। ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତଡ଼ାବସ୍ତି ଗାଁର ତିନି ଜଣ ଯୁବକ ଏକ ବାଇକ୍‌ରେ ଖଣ୍ଡାଧାର ଜଳପ୍ରପାତ ବୁଲି ଫେରୁଥିଲେ। ଶୂକ୍ରାସାହି ସ୍କୁଲ ନିକଟରେ ଉଭୟ ବାଇକ୍‌ ମଧ୍ୟରେ ପ୍ରଚଣ୍ଡ ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ଶରତ ବେହେରା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ଅନ୍ୟ ବାଇକ୍‌ରେ ଥିବା ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ଖବର ପାଇ ନୟାକୋଟ ଥାନା ପୁଲିସ ଏବଂ ବାଂଶପାଳ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନୟାକୋଟ ଥାନାର ଏସ୍‌ଆଇ ପୁରୁଷୋତ୍ତମ ପଟେଲ ଓ ଯାମିନୀ ଜ୍ୟୋତ୍ସ୍ନା ମହାନ୍ତଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଗୁରୁତର ଆହତ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସଂଗ୍ରହ କରାଯାଉଥିବା ବେଳେ ଉଭୟ ବାଇକ୍‌ର ଗତି ଏବଂ ଧକ୍କାର କାରଣ ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି।

ଏହି ଦୁର୍ଘଟଣା ପୁଣିଥରେ ଅଞ୍ଚଳରେ ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଶୂକ୍ରାସାହି ସ୍କୁଲ ସମ୍ମୁଖ ରାସ୍ତାରେ ପ୍ରାୟ ସମୟରେ ଦ୍ରୁତ ଗତିରେ ଯାନବାହନ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ରହିଥାଏ। ତେଣୁ ଏହି ସ୍ଥାନରେ ଗତିନିୟନ୍ତ୍ରକ, ସତର୍କ ସୂଚନା ଫଳକ ଏବଂ ନିୟମିତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

You may also like

Leave a Comment