ସରକାରୀ ସାମଗ୍ରୀ ଓ ସେବା କ୍ରୟ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। Government e-Marketplace (GeM)ର ଦ୍ୱିତୀୟ ଦଶକରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ବ୍ୟାପକ କରି ସରକାରୀ କ୍ରୟକୁ ଅଧିକ ସ୍ୱଚ୍ଛ, ଦ୍ରୁତ, ଖର୍ଚ୍ଚ-ସଞ୍ଚୟକାରୀ ଓ ପ୍ରତିଯୋଗିତାମୂଳକ କରିବା ଉପରେ ଜୋର ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୂଷ ଗୋୟଲ।
ନୂଆଦିଲ୍ଲୀର ଭାରତ ମଣ୍ଡପମରେ GeMର ୧୦ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଗୋୟଲ କହିଛନ୍ତି, ଆଗାମୀ ଦଶକରେ ଟେକ୍ନୋଲୋଜିକୁ କେନ୍ଦ୍ରରେ ରଖି କ୍ରେତା ଓ ବିକ୍ରେତାଙ୍କ ଅଭିଜ୍ଞତାକୁ ଆହୁରି ସରଳ କରାଯିବା ଆବଶ୍ୟକ। ବିଶେଷକରି AI ମାଧ୍ୟମରେ ମୂଲ୍ୟ ବିଶ୍ଳେଷଣ, ମୂଲ୍ୟ ଯାଞ୍ଚ ଓ ବଜାରର ସ୍ୱଚ୍ଛତା ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
GeMକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପିୟୂଷ ଗୋୟଲ ପାଞ୍ଚଟି ପ୍ରମୁଖ ପ୍ରାଥମିକତା ଘୋଷଣା କରିଛନ୍ତି। ଏଥିରେ ରହିଛି ଶେଷ ପର୍ଯ୍ୟାୟରେ ଡିଜିଟାଲ ସୁବିଧା ପହଞ୍ଚାଇବା, AIର ଅଧିକ ବ୍ୟବହାର, ରାଜ୍ୟ ଓ ସରକାରୀ ସଂସ୍ଥାଗୁଡ଼ିକର ଅଧିକ ସମନ୍ୱୟ, ବ୍ୟବସାୟୀଙ୍କ ପାଇଁ ଋଣ ସୁବିଧା ଏବଂ ସ୍ଥାୟୀ କ୍ରୟ ପ୍ରଣାଳୀ।
ଜିଲ୍ଲାସ୍ତରରେ GeMର Suvidha Kendras ବଢ଼ାଇବାକୁ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଠାରେ ପଞ୍ଜୀକରଣ, କ୍ୟାଟାଲଗ୍ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ଅଭିଯୋଗ ସମାଧାନ ଭଳି ସେବା ମିଳିବ। ଡିଜିଟାଲ ସୁବିଧାରୁ ଦୂରରେ ଥିବା ଛୋଟ ଉଦ୍ୟୋଗ ଓ ବ୍ୟବସାୟୀଙ୍କୁ ଏହା ଲାଭ ଦେବ।
୨୦୧୬ ଅଗଷ୍ଟ ୯ରେ ଆରମ୍ଭ ହୋଇଥିବା GeM ଏବେ ଦେଶର ସରକାରୀ କ୍ରୟ ବ୍ୟବସ୍ଥାର ଏକ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମରେ ପରିଣତ ହୋଇଛି। ସରକାରୀ ତଥ୍ୟ ଅନୁସାରେ, GeMରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ବିକ୍ରେତା ଏବଂ ୧.୩୭ ଲକ୍ଷରୁ ଅଧିକ କ୍ରେତା ସଂଗଠନ ଯୋଡ଼ି ହୋଇଛନ୍ତି।
ପ୍ଲାଟଫର୍ମ ମାଧ୍ୟମରେ ୩.୭୮ କୋଟିରୁ ଅଧିକ ଅର୍ଡର ଜରିଆରେ ସମୁଦାୟ କ୍ରୟ ମୂଲ୍ୟ ₹୨୦ ଲକ୍ଷ କୋଟି ଅତିକ୍ରମ କରିଛି। ଏଥିରେ ମାଇକ୍ରୋ ଓ ସ୍ମଲ୍ ଏଣ୍ଟରପ୍ରାଇଜେସ୍ (MSEs)ର ଅବଦାନ ମଧ୍ୟ ଉଲ୍ଲେଖନୀୟ।
୧୨.୨୮ ଲକ୍ଷରୁ ଅଧିକ MSE GeM ମାଧ୍ୟମରେ ₹୯ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଅର୍ଡର ପୂରଣ କରିଛନ୍ତି। ଏହା GeMର ସମୁଦାୟ GMVର ୪୫.୬ ପ୍ରତିଶତ। ସେହିପରି ୨.୨୪ ଲକ୍ଷରୁ ଅଧିକ ମହିଳା ନେତୃତ୍ୱାଧୀନ MSE ୫୦ ଲକ୍ଷରୁ ଅଧିକ ଅର୍ଡର ମାଧ୍ୟମରେ ₹୧ ଲକ୍ଷ କୋଟିରୁ ଅଧିକ ବ୍ୟବସାୟ କରିଛନ୍ତି।
ଦେଶର ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ GeM ବଡ଼ ସୁଯୋଗ ଦେଇଛି। ୪୨,୨୪୨ ଷ୍ଟାର୍ଟଅପ୍ ଏହି ପ୍ଲାଟଫର୍ମ ମାଧ୍ୟମରେ ₹୬୫,୬୩୩ କୋଟିରୁ ଅଧିକ ସରକାରୀ ଅର୍ଡର ପାଇଛନ୍ତି।
GeMର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ୧୪୫୫୦ ନାମକ ନୂଆ ପାଞ୍ଚ ଅଙ୍କିଆ ହେଲ୍ପଡେସ୍କ ନମ୍ବର ମଧ୍ୟ ଆରମ୍ଭ ହୋଇଛି। କ୍ରେତା, ବିକ୍ରେତା ଓ ଅନ୍ୟ ହିତଧାରୀମାନେ ଏହି ନମ୍ବର ମାଧ୍ୟମରେ GeM ସମ୍ବନ୍ଧୀୟ ସହାୟତା ପାଇପାରିବେ।
ଏହି ଅବସରରେ GeMର ୧୦ ବର୍ଷର ଯାତ୍ରାକୁ ସ୍ମରଣ କରି ଏକ ବିଶେଷ ‘My Stamp’ ମଧ୍ୟ ଉନ୍ମୋଚନ କରାଯାଇଛି।
ଆଗାମୀ ଦିନରେ GeMର ଲକ୍ଷ୍ୟ କେବଳ ଅଧିକ କ୍ରେତା ଓ ବିକ୍ରେତାଙ୍କୁ ଯୋଡ଼ିବା ନୁହେଁ। AI, ଡାଟା ଆଧାରିତ ବିଶ୍ଳେଷଣ, ଦ୍ରୁତ ପ୍ରକ୍ରିୟା ଓ ସହଜ ବ୍ୟବସାୟ ମାଧ୍ୟମରେ ଭାରତର ସରକାରୀ କ୍ରୟ ବ୍ୟବସ୍ଥାକୁ ଏକ ନୂଆ ଡିଜିଟାଲ ମଡେଲରେ ପରିଣତ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ।
