ମୁମ୍ବାଇ: ବର୍ଷା ଦିନରେ ଲୋକାଲ ଟ୍ରେନରେ ଘରକୁ ଫେରୁଥିବା ଜଣେ ଯୁବକଙ୍କ ପାଇଁ ସାଧାରଣ ଯାତ୍ରା ଶେଷରେ ମୃତ୍ୟୁରେ ପରିଣତ ହୋଇଛି। ଟ୍ରେନର କବାଟ ବନ୍ଦ କରିବାକୁ କହିବାକୁ ନେଇ ହୋଇଥିବା ଯୁକ୍ତିତର୍କ ପରେ ଚଳନ୍ତା ଟ୍ରେନ ଭିତରେ ତାଙ୍କୁ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।
ମୃତ ଯୁବକଙ୍କ ନାମ ମୟଙ୍କ ଲୋହାର। ବୟସ ମାତ୍ର ୨୨ ବର୍ଷ। ସେ ସୋମବାର ରାତିରେ ଚର୍ଚ୍ଚଗେଟ୍-ନାଲାସୋପାରା ଫାଷ୍ଟ ଲୋକାଲ ଟ୍ରେନର ପ୍ରଥମ ଶ୍ରେଣୀ ବଗିରେ ଯାତ୍ରା କରୁଥିବା ବେଳେ ଜଣେ ସହଯାତ୍ରୀ ତାଙ୍କୁ ଛୁରାମାଡ଼ କରିଥିବା ପୋଲିସ କହିଛି। ପରେ ଚିକିତ୍ସାଧୀନ ଅବସ୍ଥାରେ ମୟଙ୍କଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ, ରାତି ପ୍ରାୟ ୧୦ଟା ସମୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ମୟଙ୍କ ଅଭିଯୁକ୍ତଙ୍କୁ ଟ୍ରେନର କବାଟ ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଉତ୍ତପ୍ତ ହୋଇଯାଇଥିଲା।
ପୋଲିସ ଅନୁସାରେ, ବିବାଦ ପରେ କେତେକ ଯାତ୍ରୀ ଅଭିଯୁକ୍ତଙ୍କୁ ଧକ୍କାମୁକ୍କି କରିଥିଲେ। ଏଥିରେ ରାଗିଯାଇ ସେ ନିଜ ବ୍ୟାଗରୁ ଏକ ଛୁରୀ ବାହାର କରି ମୟଙ୍କଙ୍କ ଉପରେ ଆକ୍ରମଣ କରିଥିଲା। ତାଙ୍କ ପେଟରେ ଛୁରା ଭୁସି ଦେଇଥିବାରୁ ସେ ଗୁରୁତର ଆହତ ହୋଇଥିଲେ।
ଆନ୍ଧେରୀ ଓ ବୋରିଭାଲି ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା। ବୋରିଭାଲି ଷ୍ଟେସନ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ରେଳବାଇ ସୁରକ୍ଷା ବଳ (RPF) ଓ GRP କର୍ମଚାରୀମାନେ ତୁରନ୍ତ ବୋରିଭାଲି ଷ୍ଟେସନରେ ପହଞ୍ଚିଥିଲେ। ଆହତ ମୟଙ୍କଙ୍କୁ ପ୍ରଥମେ ବୋରିଭାଲି ଷ୍ଟେସନର ଜରୁରୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କୁ କାନ୍ଦିଭାଲି ସ୍ଥିତ ଶତାବ୍ଦୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚିପାରିନଥିଲା।
ପୋଲିସ ଅଭିଯୁକ୍ତଙ୍କ ପରିଚୟ ପାଇସାରିଥିବା ବେଳେ ତାଙ୍କୁ ଧରିବା ପାଇଁ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଷ୍ଟେସନଗୁଡ଼ିକର CCTV ଫୁଟେଜ ଯାଞ୍ଚ କରାଯାଉଛି ଏବଂ ଘଟଣା ଦେଖିଥିବା ଯାତ୍ରୀମାନଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି।
ମୟଙ୍କ ଲୋହାର ଭିରାର ଅଞ୍ଚଳର ବାସିନ୍ଦା ଥିଲେ। ସେ ଆନ୍ଧେରୀର ଏକ ବେସରକାରୀ କମ୍ପାନୀରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।
ମୟଙ୍କଙ୍କ ପରିବାରରେ ତାଙ୍କ ବାପା, ମାଆ, ଜଣେ ଭଉଣୀ ଏବଂ ତିନି ଭାଇ ଅଛନ୍ତି। ଏହି ଘଟଣା ପରେ ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
