ଭାରତର ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ସହରରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମା ଚରଣ ମଲିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ୭୫ ଫୁଟ୍ ଲମ୍ବର ବିଶାଳ ତ୍ରିରଙ୍ଗା ପତାକା। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନେ ଏହି ବିଶାଳ ପତାକାକୁ ଧରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ। ଦେଶାତ୍ମବୋଧକ ସଙ୍ଗୀତରେ ପୂରା ପରିବେଶ ଦେଶପ୍ରେମର ଭାବନାରେ ଭରିଯାଇଥିଲା।
ଏହି ତ୍ରିରଙ୍ଗା ଯାତ୍ରାରେ ବାଳିକା ଉଚ୍ଚ ବିଦ୍ୟାଳୟ, ହବାକ ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କଳିଙ୍ଗ ମହାବିଦ୍ୟାଳୟ, ଏମଏମସି ନର୍ସିଂ ସ୍କୁଲ, ଶିଶୁ ମନ୍ଦିର ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେବଳ ସ୍ୱାଧୀନତା ଦିବସର ଉତ୍ସାହ ପାଳନ କରିବା ନୁହେଁ, ବରଂ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମନରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାକୁ ଆହୁରି ଦୃଢ଼ କରିବା। ବିଶାଳ ତ୍ରିରଙ୍ଗା ସହ ଛାତ୍ରଛାତ୍ରୀଙ୍କ ଏହି ଯାତ୍ରା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା।
