ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଦୀର୍ଘ ସମୟ ଧରି ପାଳନ କରାଯାଇନଥିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ ପୂର୍ତ୍ତ ବିଭାଗ ପକ୍ଷରୁ ଆଦେଶ କାର୍ଯ୍ୟକାରୀ ନହେବାରୁ ଅଦାଲତ କଠୋର ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବଙ୍କୁ ୩ ଦିନ ମଧ୍ୟରେ ୨୦୨୫ ଜୁନ୍ ୨୦ରେ ଦିଆଯାଇଥିବା ଅଦାଲତୀ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଦେଶ ପାଳନ ନହେଲେ ଅତିରିକ୍ତ ସଚିବଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରୁ ୪୮ ଘଣ୍ଟା ପାଇଁ ଗିରଫ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମେସର୍ସ ପ୍ରତିଷ୍ଠା ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଦାଏର ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ।
ମାମଲାର ପୃଷ୍ଠଭୂମି ଅନୁଯାୟୀ, ଆବେଦନକାରୀ ସଂସ୍ଥା ପୂର୍ତ୍ତ ବିଭାଗ ପାଇଁ ଏକ କାମ ସମ୍ପାଦନ କରିଥିଲା। କାମ ବାବଦର ଅର୍ଥ ପ୍ରଦାନରେ ବିଳମ୍ବ ହୋଇଥିବାରୁ ବକେୟା ରାଶି ଉପରେ ସୁଧ ପ୍ରଦାନ କରିବାକୁ ହାଇକୋର୍ଟ ୨୦୨୫ ଜୁନ୍ ୨୦ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ନିର୍ଦ୍ଦେଶ ପରେ ମଧ୍ୟ ଏହାକୁ ଲାଗୁ କରାଯାଇନଥିବାରୁ ସଂସ୍ଥା ପକ୍ଷରୁ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା। ଏହି ମାମଲାରେ ଅଦାଲତ ପକ୍ଷରୁ ଅନେକଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ପୂର୍ବ ଆଦେଶ ପାଳନ ନହେବାରୁ ଏବେ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
