Home Featuredଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ୬ ବରିଷ୍ଠ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ୬ ବରିଷ୍ଠ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

by Sunita Jena
0 comments

ଭୁବନେଶ୍ୱର: ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସ୍ତରରେ ଶୁକ୍ରବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏକାଥରକେ ୬ ଜଣ ବରିଷ୍ଠ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।୨୦୦୩ ବ୍ୟାଚ୍‌ର IPS ଅଧିକାରୀ ହିମାଂଶୁ ଲାଲ୍‌ଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଛି। ତାଙ୍କୁ ଅର୍ଥନୈତିକ ଅପରାଧ ଶାଖା (EOW) ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ (STF)ର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ୨୦୦୪ ବ୍ୟାଚ୍‌ର ସତ୍ୟବ୍ରତ ଭୋଇଙ୍କୁ ଆଇଜି ଗୁଇନ୍ଦା ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ତାଳଚେର NCR ଏବଂ ଅନୁଗୋଳ PTCର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ।୨୦୦୫ ବ୍ୟାଚ୍‌ର ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଗୁଇନ୍ଦା ପଦରୁ ବଦଳି କରି ଦକ୍ଷିଣାଞ୍ଚଳ ରେଞ୍ଜ୍‌, ବ୍ରହ୍ମପୁରର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ବ୍ରହ୍ମପୁର ଆଇଜି ଭାବେ କାର୍ଯ୍ୟରତ ୨୦୦୭ ବ୍ୟାଚ୍‌ର ନୀତି ଶେଖରଙ୍କୁ ଆଇଜି ପୁଲିସ (ଏସ୍‌ପି ମୁଖ୍ୟାଳୟ) ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ, ୨୦୦୯ ବ୍ୟାଚ୍‌ର ଚରଣ ସିଂହ ମୀନାଙ୍କୁ ଉତ୍ତରାଞ୍ଚଳ ରେଞ୍ଜ୍‌, ସମ୍ବଲପୁରର ଡିଆଇଜି ପୁଲିସ ଭାବେ ବଦଳି କରାଯାଇଛି।କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ୨୦୧୦ ବ୍ୟାଚ୍‌ର ଆଶିଷ କୁମାର ସିଂହଙ୍କୁ ତାଳଚେର NCRର ଡିଆଇଜି ଏବଂ ଅନୁଗୋଳ PTCର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।ଏହି ଅଦଳବଦଳ ଫଳରେ ରାଜ୍ୟର ଗୁଇନ୍ଦା ବ୍ୟବସ୍ଥା, ଅର୍ଥନୈତିକ ଅପରାଧ ତଦନ୍ତ, STF ଏବଂ ବିଭିନ୍ନ ପୁଲିସ ରେଞ୍ଜ୍‌ର ନେତୃତ୍ୱରେ ପରିବର୍ତ୍ତନ ଆସିଛି। ନୂଆ ଦାୟିତ୍ୱରେ ଅଧିକାରୀମାନେ ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କିପରି କାର୍ଯ୍ୟ କରିବେ, ତାହା ଉପରେ ଏବେ ନଜର ରହିବ।

You may also like

Leave a Comment