Home Featuredଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ରାଜନୈତିକ ତାତି

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ରାଜନୈତିକ ତାତି

by Sunita Jena
0 comments

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ଦିନକୁ ଦିନ ଗରମ ହେଉଛି। ବିଲ୍‌ର ବିଭିନ୍ନ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ମଞ୍ଚ ମଧ୍ୟ ଏହାକୁ ବିରୋଧ କରି ସ୍ୱର ଉଠାଇଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ସଭା, ସମାବେଶ ଓ ଆଲୋଚନା ମାଧ୍ୟମରେ ବିଲ୍‌ର ପ୍ରଭାବ ନେଇ ମତ ପ୍ରକାଶ ପାଉଛି।

ବିରୋଧୀ ଦଳମାନଙ୍କ ମୁଖ୍ୟ ଦାବି ହେଉଛି—ଖଣିଜ ସମ୍ପଦ ଓ ଏଥିରୁ ମିଳୁଥିବା ରାଜସ୍ୱ ଉପରେ ଓଡ଼ିଶାର ସ୍ୱାର୍ଥ କିପରି ସୁରକ୍ଷିତ ରହିବ, ସେନେଇ ସ୍ପଷ୍ଟ ଆଲୋଚନା ହେବା ଆବଶ୍ୟକ। ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତଚରଣ ଦାସ ପୃଥକ ଭାବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ମଧ୍ୟ ଦାବି ରଖିଥିଲା।

ତେବେ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଆବଶ୍ୟକତା ନଥିବା ଦର୍ଶାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ଦାବିକୁ ଅଗ୍ରାହ୍ୟ କରିଥିବା ଜଣାପଡ଼ିଛି। ଏହାପରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ପାଇଁ ଆହୁରି ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଲ୍‌ ଲାଗୁ ହେଲେ ଓଡ଼ିଶାର ଖଣି ରାଜସ୍ୱ ଉପରେ ରାଜ୍ୟର ହିତ ପ୍ରଭାବିତ ହୋଇପାରେ। ଦଳ ପକ୍ଷରୁ ବିଜେପି ସାଂସଦମାନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ବିଲ୍‌କୁ ବିରୋଧ କରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପାଇଁ ସଜବାଜ ହେଉଛି।

ଆଗାମୀ ଦିନରେ ରାଜଧାନୀଠାରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପ୍ରତିବାଦ, ଧାରଣା ଓ ପ୍ରଦର୍ଶନ କରିବାକୁ କଂଗ୍ରେସ ପକ୍ଷରୁ ଯୋଜନା କରାଯାଇଥିବା କୁହାଯାଇଛି। ଫଳରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଆଗାମୀ ଦିନରେ ଓଡ଼ିଶା ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ହେବା ସହ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

You may also like

Leave a Comment