Home Featuredଅଧିକାର ଦାବିରେ ରଣହୁଙ୍କାର, ଗନ୍ଧମାର୍ଦ୍ଦନ ଖଣିରେ କାମ ବନ୍ଦ କଲେ ଅଞ୍ଚଳବାସୀ

ଅଧିକାର ଦାବିରେ ରଣହୁଙ୍କାର, ଗନ୍ଧମାର୍ଦ୍ଦନ ଖଣିରେ କାମ ବନ୍ଦ କଲେ ଅଞ୍ଚଳବାସୀ

by Sunita Jena
0 comments

ନିଜ ଅଧିକାର ଓ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ଲୋକେ। କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଓଏମ୍‌ସି ଖଣି କାର୍ଯ୍ୟକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିବାଦକାରୀମାନେ ଖଣି କାର୍ଯ୍ୟ ବନ୍ଦ କରି ନିଜ ଦାବି ଉପସ୍ଥାପନ କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଖଣି ଯୋଗୁଁ ପ୍ରଭାବିତ ହେଉଥିବା ଅଞ୍ଚଳଗୁଡ଼ିକୁ ମିଳିବାକୁ ଥିବା ସୁବିଧା ଓ ଅଧିକାରରୁ କିଛି ପୁରୁଣା ଅଞ୍ଚଳର ଲୋକେ ବଞ୍ଚିତ ହୋଇଆସୁଛନ୍ତି। ଖଣିଠାରୁ ମାତ୍ର ୭ରୁ ୮ କିଲୋମିଟର ଦୂରରେ ରହିଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ଉଚିତ ଗୁରୁତ୍ୱ ଦିଆଯାଉନଥିବା ସେମାନେ କହିଛନ୍ତି।

ଖଣି ପ୍ରଭାବିତ ଅଞ୍ଚଳ ନିର୍ଦ୍ଧାରଣକୁ ନେଇ ମଧ୍ୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଦାବି, ନିର୍ଦ୍ଧାରିତ ଦୂରତା ମଧ୍ୟରେ ଥିବା ସତ୍ତ୍ୱେ ସେମାନଙ୍କୁ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳର ସୁବିଧା ମିଳୁନାହିଁ। ଦୀର୍ଘଦିନ ଧରି ଦାବି ଜଣାଇବା ପରେ ମଧ୍ୟ ସମାଧାନ ନହେବାରୁ ଆଜି ଲୋକେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା କହିଛନ୍ତି। ଖଣି ଗେଟ୍‌ ସମ୍ମୁଖରେ ଏକାଠି ହୋଇ ଲୋକେ କାର୍ଯ୍ୟ ବନ୍ଦ କରାଇବା ସହ ନିଜ ଦାବି ପୂରଣ ପାଇଁ ଦାବି କରିଛନ୍ତି।

ପ୍ରତିବାଦକାରୀଙ୍କ ଚେତାବନୀ ହେଉଛି, ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଆବଶ୍ୟକ ପଡ଼ିଲେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଖଣି କାର୍ଯ୍ୟ ବନ୍ଦ ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି।ଏବେ ପ୍ରଶ୍ନ ହେଉଛି—ଅଞ୍ଚଳବାସୀଙ୍କ ଦାବି ଉପରେ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ଏବଂ ଖଣି କାର୍ଯ୍ୟକୁ ନେଇ ଉପୁଜିଥିବା ବିବାଦର କେବେ ସମାଧାନ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

You may also like

Leave a Comment