Home Featuredକେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନାରେ ଲାଭ ପାଇବାକୁ ଜାଣନ୍ତୁ ଯୋଗ୍ୟତା ଓ ନିୟମ

କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନାରେ ଲାଭ ପାଇବାକୁ ଜାଣନ୍ତୁ ଯୋଗ୍ୟତା ଓ ନିୟମ

by Lokanath Panigrahi
0 comments

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହତ୍ୱାକାଙ୍କ୍ଷୀ ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ସୁବିଧା ପ୍ରଦାନ ପାଇଁ ଲାଭାର୍ଥୀଙ୍କ ଯୋଗ୍ୟତା, ଉପସ୍ଥାନ, ଫି ପ୍ରଦାନ ଏବଂ କଲେଜଗୁଡ଼ିକ ପାଇଁ ଅର୍ଥ ବଣ୍ଟନ ସମ୍ବନ୍ଧୀୟ ସ୍ପଷ୍ଟ ନିୟମାବଳୀ ଜାରି କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଆର୍ଥିକ କାରଣରୁ କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ନ ହେବା ସହ ଉଚ୍ଚଶିକ୍ଷାକୁ ଅଧିକ ସୁଗମ କରିବା।

ଯୋଜନାର ଲାଭ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଶ୍ରେଣୀରେ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ବଜାୟ ରଖିବା ଅନିବାର୍ୟ କରାଯାଇଛି। ବିଶେଷ ପରିସ୍ଥିତିରେ କିଛି କୋହଳ ରହିଥିଲେ ମଧ୍ୟ ଉପସ୍ଥାନ ୬୫ ପ୍ରତିଶତରୁ କମ୍ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧାରୁ ବଞ୍ଚିତ ହେବେ।

ଏହି ଯୋଜନାରେ SAMS ମାଧ୍ୟମରେ ନିୟମିତ UG ଓ PG କୋର୍ସରେ ନାମଲେଖା କରିଥିବା ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେବେ। କେବଳ ପ୍ରଥମ ଥର ନାମଲେଖା ନୁହେଁ, ପୁନଃ ନାମଲେଖା (Re-admission) କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।

ଯୋଜନା ଅନୁଯାୟୀ ନାମଲେଖା ଫି, ପୁନଃ ନାମଲେଖା ଫି ଓ ଅନ୍ୟାନ୍ୟ କଲେଜ ଫି ସରକାର ବହନ କରିବେ। ତେବେ ପରୀକ୍ଷା ଫି ଏବଂ ହଷ୍ଟେଲ ଫି ଯୋଜନାର ପରିସରଭୁକ୍ତ ନୁହେଁ। ଏହି ଦୁଇଟି ଖର୍ଚ୍ଚ ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଭାବେ ବହନ କରିବାକୁ ପଡ଼ିବ।

କଲେଜଗୁଡ଼ିକୁ ସରକାରୀ ଅର୍ଥ ଏକକାଳୀନ ଭାବେ ନ ଦେଇ ପାଞ୍ଚଟି କିସ୍ତିରେ ପ୍ରଦାନ କରାଯିବ। ନାମଲେଖା ପରେ ପ୍ରଥମ କିସ୍ତିରେ ୧୦ ପ୍ରତିଶତ, ଦ୍ୱିତୀୟ କିସ୍ତିରେ ୧୫ ପ୍ରତିଶତ ଏବଂ ପରବର୍ତ୍ତୀ ତିନିଟି କିସ୍ତିରେ ୨୫ ପ୍ରତିଶତ ଲେଖାଏଁ ଅର୍ଥ ପ୍ରଦାନ କରାଯିବ।

ଏହାଛଡ଼ା ଯୋଜନାରେ ସାମିଲ ଥିବା କୋର୍ସଗୁଡ଼ିକର ଫି କଲେଜ କର୍ତ୍ତୃପକ୍ଷ ଇଚ୍ଛାମତେ ବୃଦ୍ଧି କରିପାରିବେ ନାହିଁ। ଯଦି ଫି ବଢ଼ାଇବାର ଆବଶ୍ୟକତା ପଡ଼େ, ତେବେ ଫି ନିୟନ୍ତ୍ରଣ କମିଟିର ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ରହିବ।

ଏହି ନିୟମାବଳୀ କାର୍ଯ୍ୟକାରୀ ହେଲେ ଛାତ୍ରଛାତ୍ରୀମାନେ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଭାବେ ଯୋଜନାର ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି।

You may also like

Leave a Comment